NABASETULIVE

ନିର୍ବାଚନ ଆୟୋଗର ସ୍ୱାଧୀନତା ଉପରେ ପ୍ରଶ୍ନ: ଗଣତନ୍ତ୍ରର ମେରୁଦଣ୍ଡ କେତେ ସୁରକ୍ଷିତ?

ନବସେତୁ ସମ୍ପାଦକୀୟ

ବିଷୟ : ନିର୍ବାଚନ, ଆୟୋଗ ଓ ଆୟୁକ୍ତ – ଗଣତନ୍ତ୍ର ମେରୁଦଣ୍ଡ କେତେ ସୁରକ୍ଷିତ?ଲେଖକ: ସରୋଜ କୁମାର ମେଶ୍ୱାସଭାପତି, ଓବିସି ଏସ୍.ଟି.ଏସ୍.ସି ସମନ୍ୱୟ ସମିତି, ଓଡ଼ିଶା

ଭାରତୀୟ ଗଣତନ୍ତ୍ର ସବୁଠାରୁ ବଡ଼ ଉତ୍ସବ ହେଉଛି ନିର୍ବାଚନ। ଆଉ ଏହି ଉତ୍ସବର ମୁଖ୍ୟ ପୁରୋହିତ ହେଲେ ଭାରତୀୟ ନିର୍ବାଚନ ଆୟୋଗ। ସମ୍ବିଧାନର ଅନୁଚ୍ଛେଦ ୩୨୪ ଏହାକୁ ସ୍ବାଧୀନ, ନିଷ୍ପକ୍ଷ ଓ ସାମ୍ବିଧାନିକ ପ୍ରାଧିକରଣ ଭାବେ ପ୍ରତିଷ୍ଠା କରିଛି। କିନ୍ତୁ ପ୍ରଶ୍ନ ଉଠୁଛି – ଆଜି ଏହି ପ୍ରାଧିକରଣ କ’ଣ ବାବାସାହେବ ଆମ୍ବେଦକରଙ୍କ ସ୍ବପ୍ନ ଅନୁଯାୟୀ କାର୍ଯ୍ୟ କରୁଛି?

ଅନୁଚ୍ଛେଦ ୩୨୪: ଗଣତନ୍ତ୍ର ହୃତ୍‌ତ୍ଵଦନ

ସଂସଦରୁ ପଞ୍ଚାୟତ, ରାଷ୍ଟ୍ରପତିରୁ ବିଧାନସଭା – ସବୁ ନିର୍ବାଚନର ନିରୀକ୍ଷଣ, ନିର୍ଦ୍ଦେଶନ ଓ ନିୟନ୍ତ୍ରଣର ସମ୍ପୂର୍ଣ୍ଣ ଦାୟିତ୍ୱ ନିର୍ବାଚନ ଆୟୋଗ ଉପରେ। ଭାରତ ଭଳି ବହୁଭାଷୀ, ବହୁଜାତୀୟ ଦେଶରେ ଜନମତକୁ ସଠିକ୍ ଭାବେ ପ୍ରତିଫଳିତ କରିବା ପାଇଁ ଏକ ରାଜନୈତିକ ପ୍ରଭାବମୁକ୍ତ ସଂସ୍ଥାର ଆବଶ୍ୟକତା ଥିଲା। ଏହା କେବଳ ପ୍ରଶାସନିକ ବ୍ୟବସ୍ଥା ନୁହେଁ, ଏହା ହେଉଛି ଆମ ଗଣତନ୍ତ୍ର ଆତ୍ମା।

ଏହି ବ୍ୟବସ୍ଥା ପଛରେ ଥିଲା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଦୂରଦର୍ଶୀ ଚିନ୍ତା। ସେ ଜାଣିଥିଲେ ଯେ ଯଦି ନିର୍ବାଚନ ଶାସକ ଦଳ ବା କାର୍ଯ୍ୟନିର୍ବାହର ଅଧୀନ ହୁଏ, ତେବେ ଦଳିତ, ଆଦିବାସୀ, ଓବିସି, ମହିଳା, ସଂଖ୍ୟାଲଘୁଙ୍କ ସ୍ବର ସବୁଠୁ ପ୍ରଥମେ ନିଷ୍ପ୍ରଭ ହୋଇଯିବ। ତାଙ୍କ ପାଇଁ ଗଣତନ୍ତ୍ର କେବଳ ହାର-ଜିତର ଖେଳ ନଥିଲା, ତାହା ଥିଲା ସମସ୍ତଙ୍କୁ ସମାନ ରାଜନୈତିକ ମର୍ଯ୍ୟାଦା ଦେବାର ବ୍ୟବସ୍ଥା। ସେଥିପାଇଁ ସେ ନିର୍ବାଚନ ଆୟୋଗକୁ ସମ୍ବିଧାନର ଅଧୀନ କରିବାକୁ ଚାହୁଁଥିଲେ, ସରକାର ଅଧୀନ ନୁହେଁ। ନିର୍ବାଚନ ଆୟୋଗ ହେଉଛି ଆମ୍ବେଦକରଙ୍କ ସାମାଜିକ ନ୍ୟାୟ ଦର୍ଶନର ଏକ ପ୍ରାୟୋଗିକ ଉପକରଣ।

ଆୟୋଗର ହାତରେ ଥିବା ଶକ୍ତିର ଅସ୍ତ୍ର

  1. ଆଦର୍ଶ ଆଚରଣ ସଂହିତା: ଧନବଳ, ବାହୁବଳ, ସାମ୍ପ୍ରଦାୟିକ ଭୋଟ ଭିକ୍ଷା ଓ ସରକାରୀ କ୍ଷମତାର ଦୁରୁପଯୋଗ ରୋକିବା ପାଇଁ ଏହା ଆୟୋଗର ସବୁଠାରୁ ବଡ଼ ହାତିଆର।
  2. ଭୋଟର ତାଲିକା ସଂଶୋଧନ: ବର୍ତମାନ ‘ସ୍ବତନ୍ତ୍ର ସଘନ ସଂଶୋଧନ – SIR’ ମାଧ୍ୟମରେ ମୃତ, ଦ୍ଵିତୀୟବାର ନାମଭୁକ୍ତ ଓ ଅଯୋଗ୍ୟ ନାମ ବାଦ ଦେଇ ସ୍ବଚ୍ଛ ତାଲିକା ପ୍ରସ୍ତୁତ କରିବା ଉଦ୍ୟମ ଚାଲିଛି। କିନ୍ତୁ ଏହାର ଉଦ୍ଦେଶ୍ୟ ଯେପରି ଦୁର୍ବଳ ବର୍ଗର ଭୋଟରଙ୍କୁ ବାଦ ନ ଦିଏ ତା’ ଉପରେ ନଜର ରଖିବା ଆବଶ୍ୟକ।
  3. ନିର୍ବାଚନ ପରିଚାଳନା: ମତଦାନ କେନ୍ଦ୍ର ସୁରକ୍ଷା, ବୁଥ୍ ଦଖଲ ରୋକିବା, ଖର୍ଚ୍ଚ ନିୟନ୍ତ୍ରଣ ଓ ଅଭିଯୋଗ ନିଷ୍ପତି ସବୁ ଆୟୋଗର ଦାୟିତ୍ୱ।

ଟି.ଏନ. ଶେଷନଙ୍କ ଯୁଗ: ସାହସର ଦୃଷ୍ଟାନ୍ତ

ନବମ ଦଶକରେ ଟି.ଏନ. ଶେଷନ ପ୍ରମାଣ କରିଦେଇଥିଲେ ଯେ ଜଣେ ଦୃଢ଼ ମୁଖ୍ୟ ନିର୍ବାଚନ ଆୟୁକ୍ତ କିପରି ଏକ ସାମ୍ବିଧାନିକ ସଂସ୍ଥାକୁ ନୂତନ ଉଚ୍ଚତାକୁ ନେଇପାରେ। ଆଚରଣ ସଂହିତାର କଠୋର ପ୍ରୟୋଗ କରି ସେ ଜନବିଶ୍ୱାସ ବଢ଼ାଇଥିଲେ। ତାଙ୍କ ପରେ ମଧ୍ୟ କେତେକ ଆୟୁକ୍ତ ସାହସ ଦେଖାଇଥିଲେ।

ବର୍ତମାନର ଚିନ୍ତା: ସ୍ବାଧୀନତା କେଉଁଠି?

କିନ୍ତୁ କାଳକ୍ରମେ ଏହି ସାମ୍ବିଧାନିକ ପଦ ଯେ ‘ନମନୀୟ’ ହୋଇଯାଉଛି ସେ ନେଇ ଆଲୋଚନା ବଢ଼ୁଛି। ବର୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ କେତେକ ପଦକ୍ଷେପ ସମାଲୋଚନାର ଶରବ୍ୟ ହୋଇଛି। ବିଶେଷକରି SIR ପ୍ରକ୍ରିୟାକୁ ନେଇ ଅଭିଯୋଗ ହେଉଛି – ଏହାକୁ ସରକାରଙ୍କୁ ସୁହାଇଲା ଭଳି ଭୋଟର କାଟଛାଣ୍ଟ ପାଇଁ ବ୍ୟବହାର କରାଯାଉଛି।

ଓବିସି, ଏସ୍.ସି., ଏସ୍.ଟି. ଓ ସଂଖ୍ୟାଲଘୁ ସମାଜ ପାଇଁ ଏହା ସବୁଠାରୁ ବଡ଼ ଚିନ୍ତାର ବିଷୟ। ଯଦି ନିର୍ବାଚନ ଆୟୋଗ ସରକାରଙ୍କ ପକ୍ଷଭୁକ୍ତ ବୋଲି ଧାରଣା ସୃଷ୍ଟି ହୁଏ, ତେବେ ତାହା ଆମ୍ବେଦକରଙ୍କ ସ୍ବପ୍ନ ଉପରେ ସିଧା ଆଘାତ। କାରଣ ଦୁର୍ବଳ ବର୍ଗର ମତାଧିକାର ସୁରକ୍ଷା ହେଉଛି ଆୟୋଗର ମୂଳ ଧର୍ମ।

ଆଗାମୀ ଚ୍ୟାଲେଞ୍ଜ

ଆଜି ଭାରତୀୟ ନିର୍ବାଚନକୁ ବିଶ୍ୱ ‘ଡ୍ୟାନ୍ସ ଅଫ ଡେମୋକ୍ରାସି’ କହୁଛି। କିନ୍ତୁ ଏହି ନୃତ୍ୟ ଆଗରେ ବହୁ ବାଧା:

  • ଧନବଳ ଓ ବାହୁବଳ
  • ସୋସିଆଲ ମିଡିଆରେ ଭୁଲ୍ ଖବର ଓ ଘୃଣାମୂଳକ ପ୍ରଚାର
  • ମତଦାତାଙ୍କୁ ପ୍ରଭାବିତ କରିବାର ନୂତନ ଉପାୟ

ଏହି ସମୟରେ ନିର୍ବାଚନ ଆୟୋଗର ସ୍ବାଧୀନତା, ସାହସ ଓ ନିଷ୍ପକ୍ଷତା ହିଁ ଗଣତନ୍ତ୍ର ଶେଷ ଭରସା।

ଉପସଂହାର

ନିର୍ବାଚନ ଆୟୋଗ କୌଣସି ସରକାର ଅଧୀନ ନୁହେଁ, ଏହା ସମ୍ବିଧାନର ଅଧୀନ। ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଦୃଢ଼ତା ଉପରେ ହିଁ ଏହି ସଂସ୍ଥାର ମର୍ଯ୍ୟାଦା ନିର୍ଭର କରେ। ଟି.ଏନ. ଶେଷନ ଦେଖାଇ ଦେଇଛନ୍ତି ଯେ ଇଚ୍ଛା ଥିଲେ ଏହି ଅନୁଷ୍ଠାନକୁ କେମିତି ସମ୍ମାନର ଶିଖରକୁ ନିଆଯାଇପାରେ।

ଆଜି ଆବଶ୍ୟକତା ହେଲା – ବାବାସାହେବଙ୍କ ସ୍ବପ୍ନକୁ ପୁଣି ଜୀବିତ କରିବା। ଓବିସି, ଏସ୍.ସି., ଏସ୍.ଟି. ସମେତ ସମସ୍ତ ବର୍ଗର ସମାନ ରାଜନୈତିକ ଅଧିକାର ସୁରକ୍ଷିତ ରହିବା ଦରକାର। ନଚେତ୍ ଗଣତନ୍ତ୍ର କେବଳ ନାମକୁ ମାତ୍ର ହୋଇ ରହିଯିବ। କାରଣ ନିର୍ବାଚନ ଯଦି ମୁକ୍ତ ଓ ନିଷ୍ପକ୍ଷ ନ ହୁଏ, ତେବେ ଗଣତନ୍ତ୍ର ମଧ୍ୟ ନିର୍ଜୀବ ହୋଇଯିବ।

“ନିର୍ବାଚନ ଆୟୋଗ ବଞ୍ଚିଲେ ଗଣତନ୍ତ୍ର ବଞ୍ଚିବ”

Leave a Comment

Your email address will not be published. Required fields are marked *

Scroll to Top