ନବସେତୁ ନ୍ୟୁଜ୍ – ସୁବର୍ଣ୍ଣପୁର
ସୁବର୍ଣ୍ଣପୁର, (ନବସେତୁ ନ୍ୟୁଜ୍): ଆସନ୍ତା ଡିସେମ୍ବର ୨୦ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା “ଜାତୀୟ ଡୁମାଳ ଦିବସ” କୁ ସଫଳ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ହରଡ଼ଖୋଲସ୍ଥିତ ମା’ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ମା’ ମାହେଶ୍ୱରୀ ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ହରିଶଙ୍କର ବେହେରାଙ୍କ ଆହ୍ୱାନକ୍ରମେ ଏବଂ ଡୁମାଳ ପରିଷଦ ଓଡ଼ିଶାର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକର ପ୍ରାରମ୍ଭରେ ଡୁମାଳ ସମାଜର ଇଷ୍ଟଦେବୀ ମା’ ମାହେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ କୃତ୍ତିବାସ ପଲିଆ ସଭାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ଡୁମାଳ ଦିବସ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ସମଗ୍ର ଦେଶରେ ବସବାସ କରୁଥିବା ଡୁମାଳ ସମାଜର ଏକତା, ସଂସ୍କୃତି ଏବଂ ଅସ୍ମିତାର ପ୍ରତୀକ। ଏହି ଦିବସକୁ କିପରି ଭବ୍ୟ ଓ ଐତିହାସିକ କରାଯିବ ସେ ନେଇ ସେ ବିସ୍ତୃତ ରୂପରେଖ ଉପସ୍ଥାପନ କରିଥିଲେ।
ଏହି ବୈଠକରେ ସମାଜର ଅନେକ ବରିଷ୍ଠ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦିଲ୍ଲୀ ଯାତ୍ରା, ରହିବା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅର୍ଥ ସଂଗ୍ରହ ସମ୍ବନ୍ଧରେ ବିଭିନ୍ନ ପ୍ରସ୍ତାବ ପାରିତ ହୋଇଥିଲା। ସମସ୍ତେ ଏକ ସ୍ୱରରେ ନୂଆଦିଲ୍ଲୀରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ।
ଶେଷରେ ସଭାପତି ଶ୍ରୀ ଦେବାର୍ଚ୍ଚନ ଚାଉଳିଆ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରିଥିଲେ।