ପାଟଣାଗଡ଼: ପାଟଣାଗଡ଼ ଥାନାରେ ଡେପୁଟି ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କେ.ଭି. ସିଂହଦେଓଙ୍କ ବିରୋଧରେ FIR ଦାଖଲ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ପାଟଣାଗଡ଼ NAC ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସର ସାଧାରଣ ସଭାରେ ଜଣେ କାର୍ଯ୍ୟରତ ତହସିଲଦାରଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପମାନିତ କରିବା ସହ ଧମକ ଦିଆଯାଇଥିବା ସଂଘ ଅଭିଯୋଗ କରିଛି।
ସଂଘର ଅଭିଯୋଗ ଅନୁଯାୟୀ, ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା କେ.ଭି. ସିଂହଦେଓ ପାଟଣାଗଡ଼ ତହସିଲଦାରଙ୍କୁ ଅସମ୍ମାନଜନକ ଭାଷା ବ୍ୟବହାର କରିବା ସହ ତାଙ୍କ ଭବିଷ୍ୟତ ଅନ୍ଧାର କରିଦେବେ ବୋଲି ଧମକ ଦେଇଥିଲେ।
ଜଣେ ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ଯଦି ଅବହେଳା, ଅନିୟମିତତା କିମ୍ବା ଦୁର୍ନୀତିର ଅଭିଯୋଗ ରହିଥାଏ, ତେବେ ସରକାରୀ ନିୟମ ଅନୁସାରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ବଦଳି କିମ୍ବା ଅନ୍ୟାନ୍ୟ ଆଇନସମ୍ମତ ପଦକ୍ଷେପ ନିଆଯାଇପାରେ ବୋଲି ସଂଘ କହିଛି।
ତେବେ ସର୍ବସାଧାରଣ ସଭାରେ ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେବା ଘଟଣାକୁ ସଂଘ ନିନ୍ଦା କରିଛି। ଏହି ଘଟଣାରେ ନ୍ୟାୟସଙ୍ଗତ ତଦନ୍ତ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
ଘଟଣାକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।