ନବସେତୁ ନ୍ୟୁଜ, ଲକ୍ଷ୍ନୌ
ଲକ୍ଷ୍ନୌ, ୨ ଜୁନ୍ – ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ ତିନିମହଲା ଆନିମେସନ୍ ସେଣ୍ଟରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୧୫ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି।
ଖବର ପାଇବା ମାତ୍ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘଟଣାସ୍ଥଳ ଓ କେଜିଏମ୍ୟୁ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ୨ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରିଛନ୍ତି।
ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅମୃତ ଅଭିଜାତ ଓ ଲକ୍ଷ୍ନୌ ଜୋନ୍ ଅତିରିକ୍ତ ପୁଲିସ ମହାନିର୍ଦେଶକ ପ୍ରବୀଣ କୁମାରଙ୍କୁ ନେଇ ଏହି ଦଳ ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଉତ୍ତରପ୍ରଦେଶ ଡିଜିପି ରାଜୀବ କ୍ରିଷ୍ଣା ଓ ଅତିରିକ୍ତ ଗୃହ ସଚିବ ସଞ୍ଜୟ ପାଣ୍ଡେ ଅଗ୍ନିକାଣ୍ଡ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବେ। ସେହି ରିପୋର୍ଟ ଆଧାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରାଥମିକ ସୂଚନା ଅନୁଯାୟୀ, ଅଗ୍ନିଦଗ୍ଧ ଘରକୁ ବେଆଇନ ଭାବେ ବାଣିଜ୍ୟିକ ପରିସର ଭାବେ ବ୍ୟବହାର କରାଯାଉଥିଲା। ପ୍ରଥମେ ଏହା ଏଲ୍ଡିଏରୁ ଘରୋଇ ସମ୍ପତ୍ତି ଭାବେ ସ୍ୱୀକୃତି ପାଇଥିଲା, କିନ୍ତୁ ୨୦୧୪ରେ ଏହାକୁ ବାଣିଜ୍ୟିକ ପରିସରେ ପରିଣତ କରାଯାଇଥିଲା।
ଘଟଣା ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବା ବେଳେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ସେ କହିଛନ୍ତି ଯେ ସେ ୧ରୁ ୧୨ଟି ମରଶରୀର ଦେଖିଛନ୍ତି।
ନିଆଁ ଲାଗିବା ପରେ କୋଠାରେ ଫସିଥିବା ଛାତ୍ରଛାତ୍ରୀମାନେ ବଞ୍ଚିବା ପାଇଁ ପରିବାର ଲୋକଙ୍କୁ ଶେଷ ଫୋନ୍ କରିଥିଲେ। ମୃତକଙ୍କ ମଧ୍ୟରେ ୨୪ ବର୍ଷୀୟା ସୁଖମଣି ବାପା ପ୍ରଭୁଜୋତଙ୍କୁ ‘ମୋତେ ବଞ୍ଚାଅ’ ବୋଲି ଫୋନ୍ କରିଥିଲେ। ହରିୟାଣାର ଭବିଷ୍ୟ ଭାର୍ଗବ ମଧ୍ୟ ବାପାଙ୍କୁ ଫୋନ୍ କରି ବାୟୋମେଟ୍ରିକ୍ କବାଟ ଖୋଲୁ ନ ଥିବା କଥା ଜଣାଇ ସାହାଯ୍ୟ ମାଗିଥିଲେ। ଥ୍ରିଡି ଆନିମେସନ୍ ପଢୁଥିବା ଆଦିତ୍ୟ ରାମ, ଶାହନାଳ ଓ କେଶବ ଦତ୍ତଙ୍କ ପୁଅ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ଏହି ଅଗ୍ନିକାଣ୍ଡ ଅନେକ ପରିବାରର ସ୍ୱପ୍ନ ଓ ଆଶାକୁ ଛାରଖାର କରିଦେଇଛି।
Thanks Nabasetu