ନବସେତୁ ନ୍ୟୁଜ, ବଲାଙ୍ଗୀର
ବଲାଙ୍ଗୀର, ୨୩ଜୁନ୍ – ମୌସୁମୀ ବାୟୁ ସକ୍ରିୟ ହେବା ସହ ଖରିଫ୍ ଚାଷ ଆଗକୁ ବଢ଼ିବାର ଆଶା ଜାଗିଛି। ହେଲେ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ପାଇଁ ଏବେ ସବୁଠୁ ବଡ଼ ସମସ୍ୟା ହୋଇଛି ସାର। ସରକାରୀ କାଗଜପତ୍ରେ ପର୍ଯ୍ୟାପ୍ତ ସାର ଯୋଗାଣ ହେଉଥିବା ଦାବି ହେଉଥିଲେ ବି ବାସ୍ତବରେ ଚାଷୀ କଳାବଜାରୀଙ୍କ ଭରସାରେ ଚାଲିଛି ଚାଷବାସ। ଧାନ ଚାଷଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ଚାଷୀ ଶୋଷଣର ଶିକାର ହେଉଛି।
ବଢ଼ୁଛି ଚାହିଦା, କିନ୍ତୁ ପହଞ୍ଚୁନି ଚାଷୀ ପାଖରେ
ଜିଲ୍ଲାରେ ସାର ଚାହିଦା ବର୍ଷ ବର୍ଷ ବଢ଼ି ଚାଲିଛି। ୨୦୨ ଖରିଫ୍ରେ ବଲାଙ୍ଗୀରେ ୫୦,୯୧୦ ମେଟ୍ରିକ୍ ଟନ୍ ସାର ବ୍ୟବହାର ହୋଇଥିଲା। ୨୦୨୩ରେ ଏହା ୫,୩୮୯ ମେଟ୍ରିକ୍ ଟନ୍କୁ ବଢ଼ିଥିଲା, ଆଉ ୨୦୨୪ରେ ପହଞ୍ଚିଥିଲା ୫୯,୫୨୫ ମେଟ୍ରିକ୍ ଟନ୍ରେ।
ଗତବର୍ଷ ୫୬,୨୦ ମେଟ୍ରିକ୍ ଟନ୍ ଦାନାଦାର ସାର ସହ ୩,୯୬୦ ବୋତଲ୍ ନାନୋ ୟୁରିଆ ଏବଂ ୧,୮୬୦ ବୋତଲ୍ ନାନୋ ଡିଏପି ବ୍ୟବହାର ହୋଇଥିଲା। ଏଥର ଖରିଫ୍ରେ ପ୍ରାୟ ସମାନ ପରିମାଣର ସାର ଆବଶ୍ୟକ ପଡ଼ିବ। ଜିଲ୍ଲାରେ ପ୍ରାୟ ୩.୪୫ ଲକ୍ଷ ହେକ୍ଟରେ ଖରିଫ୍ ଚାଷ ହେଉଛି, ଯେଉଁଥିରୁ ୧.୬୪ ଲକ୍ଷ ହେକ୍ଟରେ ଧାନ ଏବଂ ପ୍ରାୟ ୭୨ ହଜାର ହେକ୍ଟରେ କପା ଚାଷ ହେଉଛି। ଖରିଫ୍ ଋତୁ ପାଇଁ ଜିଲ୍ଲାକୁ ୨୬ ହଜାର ମେଟ୍ରିକ୍ ଟନ୍ ୟୁରିଆ ଜରୁରୀ।
କଳାବଜାରୀଙ୍କ ହାତରେ ଚାବିକାଠି
କୃଷି ବିଭାଗ କହୁଛି ସବୁ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇ ଦିଆଯାଇଛି ଏବଂ ପେକ୍ସକୁ ପର୍ଯ୍ୟାପ୍ତ ସାର ଯୋଗାଣ ହେଉଛି। ହେଲେ ଚାଷୀଙ୍କ ପାଖରେ ସାର ପହଞ୍ଚୁନାହିଁ। ଅଭିଯୋଗ ଅନୁଯାୟୀ, ଜିଲ୍ଲାରେ କଳାବେପାରୀମାନେ ପ୍ରାୟ ୨୦ ହଜାର ମେଟ୍ରିକ୍ ଟନ୍ ସାର କଳାବଜାରେ ବିକ୍ରି କରୁଛନ୍ତି। ବିଭାଗୀୟ ଚଢ଼ାଉ ହେଉ ନଥିବାରୁ ଏହି କାରବାର ବିନା ରୋକ୍ଠୋକ୍ରେ ଚାଲିଛି।
ଅଭିଯୋଗ ଅଛି ଯେ ସାର ଯୋଗାଣ ସମୟରେ ପେକ୍ସ କର୍ମଚାରୀଙ୍କୁ କଳାବଜାରୀମାନେ ବାହାର ରାଜ୍ୟକୁ ବୁଲିବା ପାଇଁ ଟୁର୍ ପ୍ୟାକେଜ୍ ଦେଉଛନ୍ତି। ଚାଷୀ ସାର ପାଇଁ ଦୌଡ଼ିଲେ ପେକ୍ସରେ ତାଲା ଝୁଲୁଛି। ଶେଷରେ ବାଧ୍ୟ ହୋଇ ଚାଷୀ ଅଧିକ ଦରେ କଳାବଜାରୁ ସାର କିଣୁଛି।
ଚାଷୀଙ୍କ ଚିନ୍ତା ବଢ଼ିଲା
ପ୍ରତିବର୍ଷ ଜିଲ୍ଲାରେ ଏଭଳି ଚିତ୍ର ସାମ୍ନାକୁ ଆସୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ କରିଛି। ମୌସୁମୀ ଅନୁକୂଳ ଥିଲେ ବି ବିହନ ଓ ସାର ଅଭାବରୁ ଚାଷୀ ହନ୍ତସନ୍ତ ହେଉଛି। ଧାନ ବିକ୍ରି ମିଲର୍ସଙ୍କ ଇସାରାରେ ହେଉଥିବାରୁ ଚାଷୀ ଉଭୟ କ୍ରୟ ଓ ବିକ୍ରୟ ସମୟରେ ଶୋଷିତ ହେଉଛି।
ଚାଷୀ ମହଲରେ ଦାବି ହେଉଛି ଯେ ପ୍ରଶାସନ ତୁରନ୍ତ ଚଢ଼ାଉ କରି କଳାବଜାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ଏବଂ ପ୍ରକୃତ ଚାଷୀ ପାଖରେ ସାର ପହଞ୍ଚାଇବାର ବ୍ୟବସ୍ଥା କରୁ।