ନବସେତୁ ନ୍ୟୁଜ୍ରିପୋର୍ଟ: ସରୋଜ କୁମାର ମେଶ୍ୱା, ସହ ସମ୍ପାଦକବଲାଙ୍ଗୀର, ତା: ୦୮/୦୭/୨୦୨୬
ଲୋଏର ସୁକ୍ତେଲରେ ପାଣି ଭର୍ତ୍ତି ହେଲା, କିନ୍ତୁ ସ୍କୁଲ-କଲେଜ ପ୍ରତିଶ୍ରୁତି କ’ଣ ହେଲା? ଡୁଙ୍ଗୁରିପାଲି, ଜଟିପାଳି, କୁମିଆଁପାଳିରେ ନୂଆ ସ୍କୁଲ ଖୋଲିବା ଦାବି
ବଲାଙ୍ଗୀର: ଲୋଏର ସୁକ୍ତେଲ ସେଚନ ପ୍ରକଳ୍ପରେ ଏବେ ପାଣି ଭର୍ତ୍ତି ହୋଇ ସାରିଲାଣି। କୃଷି ପାଇଁ ଏଇଟା ବଲାଙ୍ଗୀର ଜିଲ୍ଲାର ଜୀବନରେଖା ବୋଲି କୁହାଯାଉଥିଲେ ମଧ୍ୟ ବିସ୍ଥାପିତ ପରିବାରଙ୍କ ପୁନର୍ବାସ ଓ ଶିକ୍ଷା ପ୍ରତିଶ୍ରୁତି କ’ଣ ପୂରଣ ହେଲା ସେଇ ପ୍ରଶ୍ନ ଏବେ ସାଧାରଣରେ ଉଠୁଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଲେଖାଯାଇଥିବା ଏକ ଚିଠିରୁ ଜଣାପଡିଛି ଯେ ଲୋଏର ସୁକ୍ତେଲ ପ୍ରକଳ୍ପ ଯୋଗୁଁ ବୁଡିଯାଇଥିବା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍କୁଲ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି।
ଚିଠିରେ କ’ଣ ରହିଛି?
ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨୬/୦୨/୨୬ ତାରିଖରେ ଜାରି ହୋଇଥିବା ଚିଠି ନଂ ୨୩୦୯ରେ ଦୁଇଟି ମୁଖ୍ୟ ପ୍ରସ୍ତାବ ରଖାଯାଇଛି:
ପ୍ରସ୍ତାବ-୧: ଝାଙ୍କରପାଲି R.R କଲୋନୀରେ ନୂଆ କମ୍ପୋଜିଟ୍ ହାଇସ୍କୁଲ
ଲୋଏର ସୁକ୍ତେଲ ଯୋଗୁଁ ବିସ୍ଥାପିତ ହୋଇଥିବା ୫୩୮ଟି ପରିବାରଙ୍କ ପାଇଁ ବଲାଙ୍ଗୀର ବ୍ଲକ୍ ଅନ୍ତର୍ଗତ ଝାଙ୍କରପାଲି ଗାଁରେ R.R କଲୋନୀ ଗଠନ କରାଯାଇଛି। ଏଠାରୁ ନିକଟତମ ହାଇସ୍କୁଲ ଗେଡାବାଞ୍ଜି ଓ ହରଡାଲ ୧.୫ରୁ ୨ କି.ମି ଦୂରରେ ଅଛି। ତେଣୁ ଲୋଏର ସୁକ୍ତେଲ ପାଣ୍ଠିରୁ ଏଠାରେ ନୂଆ ହାଇସ୍କୁଲ ଭବନ ନିର୍ମାଣ ପଦକ୍ଷେପ ନିଆଯାଇସାରିଛି। ଏବେ ସେଠାରେ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କମ୍ପୋଜିଟ୍ ହାଇସ୍କୁଲ ଖୋଲିବା ପାଇଁ ଅନୁମୋଦନ ମାଗାଯାଇଛି।
ପ୍ରସ୍ତାବ-୨: କୁମିଆଁପାଳି ଓ ଜଟିପାଳି ସ୍କୁଲର ପୁନଃଖୋଲା
ଲୋଏର ସୁକ୍ତେଲ ଯୋଗୁଁ କୁମିଆଁପାଳି ଅପର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ବି ସେଠାରେ ୪୨ ଜଣ ଛାତ୍ରଛାତ୍ରୀ ଅଛନ୍ତି। ନିକଟତମ ସ୍କୁଲ କପିବାହାଲ ୨.୫ କି.ମି ଦୂର।
ସେହିପରି ସ୍କୁଲ ଏକତ୍ରୀକରଣ ଯୋଗୁଁ ଜଟିପାଳି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିଲା। ଏଠାରେ ମଧ୍ୟ ୩୪ ଜଣ ଛାତ୍ରଛାତ୍ରୀ ଅଛନ୍ତି। ନିକଟତମ ତାଲୁଡାର ଅପର ପ୍ରାଥମିକ ବିଦ୍ୟାଳୟ ୩ କି.ମି ଦୂର।
ସାଧାରଣ ଲୋକଙ୍କ ଦାବି, ଦୂରତା ଓ ଛାତ୍ର ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଦୁଇଟି ସ୍କୁଲକୁ ପୁନଃଖୋଲିବା ପାଇଁ ଜିଲ୍ଲାପାଳ ପ୍ରସ୍ତାବ ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ ପ୍ରଶ୍ନ: ପ୍ରତିଶ୍ରୁତି କ’ଣ ହେଲା?
ପ୍ରକଳ୍ପ ଆରମ୍ଭ ବେଳେ ସରକାର ପ୍ରତିଶ୍ରୁତି ଦେଇଥିଲେ “ସ୍କୁଲ ବଦଳରେ ସ୍କୁଲ, କଲେଜ ବଦଳରେ କଲେଜ” କରିଦିଆଯିବ। କିନ୍ତୁ ବର୍ଷ ବିତିଗଲାଣି, ଲୋଏର ସୁକ୍ତେଲରେ ପାଣି ଭର୍ତ୍ତି ହେଲାଣି, ତଥାପି ବିସ୍ଥାପିତ ଅଞ୍ଚଳ ଯଥା ଗ.ଶ. ଡୁଙ୍ଗୁରିପାଲି, ଜଟିପାଳି ଏବଂ କୁମିଆଁପାଳିରେ ସ୍କୁଲ କରିବା ପାଇଁ ଆନୁଷ୍ଠାନିକ ଅନୁମତି ମିଳିଲା କି ନାହିଁ ତାକୁ ନେଇ ସନ୍ଦେହ ରହିଛି।
ଜିଲ୍ଲାପାଳ ନିଜେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ବୃହତ୍ତର ସ୍ୱାର୍ଥରେ ଆସନ୍ତା ଶିକ୍ଷାବର୍ଷରୁ ଏହି ସ୍କୁଲଗୁଡିକ କାର୍ଯ୍ୟକ୍ଷମ କରିବାକୁ ଅନୁମୋଦନ ଦରକାର।
ଏବେ ଦେଖିବାର କଥା ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରି କେବେ ଏହି ସ୍କୁଲଗୁଡିକୁ ଅନୁମତି ଦେଉଛନ୍ତି। ବିସ୍ଥାପିତ ପିଲାଙ୍କ ଭବିଷ୍ୟତ ଏବେ ସରକାରୀ ନିଷ୍ପତ୍ତି ଉପରେ ନିର୍ଭର କରୁଛି।
#ନବସେତୁନ୍ୟୁଜ୍ #ଲୋଏରସୁକ୍ତେଲ #ବଲାଙ୍ଗୀର #ଶିକ୍ଷା #ବିସ୍ଥାପନ