ନବସେତୁ ନ୍ୟୁଜଯୁବ ପ୍ରେରଣା
ବଲାଙ୍ଗୀର, ୦୮/୦୭: ଅଭାବ ଅନାଟନ ଓ ବାଧା ବିପତ୍ତିକୁ ଖାତିର ନ କରି କଠିନ ପରିଶ୍ରମ ବଳରେ ସଫଳତାର ସିଡି ଚଢୁଛନ୍ତି ବଲାଙ୍ଗୀରର ଦୁଇ କ୍ରିକେଟର ଭାଇ ଯୋଗେଶ୍ୱର ବାଗ ଓ ସିଦ୍ଧେଶ୍ୱର ବାଗ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଦୀର୍ଘ ୧୮ ବର୍ଷ ଧରି କରିଥିବା ସାଧନା ଆଜି ରଙ୍ଗ ଆଣିଛି। ବର୍ତ୍ତମାନ ସେମାନେ ଓଡ଼ିଶା କ୍ରିକେଟର ଉଦୀୟମାନ ତାରକା ଭାବେ ପରିଚିତ।
ବାପାଙ୍କ ଅଧୁରା ସ୍ୱପ୍ନ, ପୁଅଙ୍କ ପ୍ରେରଣା
ରୁଗୁଡ଼ିପଡ଼ା ନିବାସୀ ସୁଦର୍ଶନ ବାଗଙ୍କର ଛୋଟବେଳୁ କ୍ରିକେଟ ଖେଳିବାର ବଡ଼ ସ୍ୱପ୍ନ ଥିଲା। ଘର ବିରୋଧ ଓ ଆର୍ଥିକ ଅସ୍ଥିରତା ଯୋଗୁଁ ସେ ଲୁଚି ଲୁଚି ଖେଳୁଥିଲେ। କୋରାପୁଟ ଜୟପୁର ପାଇଁ ଜିଲ୍ଲାସ୍ତରରେ ଖେଳିଥିଲେ ସତ, କିନ୍ତୁ ଦେଶ ପାଇଁ ଖେଳିବାର ସ୍ୱପ୍ନ ଅଧୁରା ରହିଗଲା। ସେହି ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଦୁଇ ପୁଅଙ୍କୁ କ୍ରିକେଟର କରିବାକୁ ପଣ କରିଥିଲେ।
ମାତ୍ର ୭ ବର୍ଷ ବୟସରେ ବଡ଼ ପୁଅ ଯୋଗେଶ୍ୱର ଓ ୪ ବର୍ଷ ବୟସରେ ସାନ ପୁଅ ସିଦ୍ଧେଶ୍ୱରଙ୍କୁ ତାଲିମ ଦେବା ଆରମ୍ଭ କଲେ। ଲୋକେ ବିରୋଧ କଲେ ବି ସେ ହାର ମାନି ନ ଥିଲେ। ମା’ ଅନ୍ନପୂର୍ଣ୍ଣା ରାଉଳ ମଧ୍ୟ ସ୍ୱାମୀଙ୍କ ସପ୍ନକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।
କିପରି ଅଛି ଦୁଇ ଭାଇଙ୍କ ରେକର୍ଡ
- ଯୋଗେଶ୍ୱର ବାଗ – ଅଲରାଉଣ୍ଡର
ବର୍ତ୍ତମାନ ଯୁକ୍ତ ଦୁଇ ଛାତ୍ର ଯୋଗେଶ୍ୱର ଓଡ଼ିଶା ୧୯-ବର୍ଷରୁ କମ୍ ରାଜ୍ୟ ଦଳର ଅଲରାଉଣ୍ଡର। ଜିଲ୍ଲା ଟିମ୍ ପରେ ଏବେ ସେ ରାଜ୍ୟ ପାଇଁ ଖେଳୁଛନ୍ତି।
ବିଜୟ ମର୍ଚେଣ୍ଟ ଟ୍ରଫିରେ ରାଜସ୍ଥାନ, ଛତିଶଗଡ଼, ବିହାର, ପଞ୍ଜାବ ଓ ପଣ୍ଡିଚେରୀ ବିପକ୍ଷରେ ଖେଳି ୧୮ଟି ୱିକେଟ ସହ ୩ଟି ଅର୍ଦ୍ଧଶତକ କରି ଓଡ଼ିଶାକୁ ଜିତାଇଛନ୍ତି। ପ୍ରତ୍ୟେକ ମ୍ୟାଚରେ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। - ସିଦ୍ଧେଶ୍ୱର ବାଗ – ମ୍ୟାଟ୍ରିକ ଛାତ୍ର
ମାତ୍ର ୪ ବର୍ଷ ବୟସରୁ କ୍ରିକେଟ ଆରମ୍ଭ କରିଥିବା ସିଦ୍ଧେଶ୍ୱର ଏବେ ବଲାଙ୍ଗୀର ଜିଲ୍ଲା ୧୬-ବର୍ଷରୁ କମ୍ ଟିମର ଅଧ୍ୟାନାୟକ।
ଓସିଏ ଆୟୋଜିତ ୧୬ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟରେ ୪୩ଟି ମ୍ୟାଚ୍ ଖେଳି ୮୩୬ ରନ୍ ଓ ୬୬ଟି ୱିକେଟ ନେଇସାରିଛନ୍ତି। ପ୍ରାୟ ସବୁ ମ୍ୟାଚରେ ତାଙ୍କ ନାମରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍, ବେଷ୍ଟ ବ୍ୟାଟର ଓ ବେଷ୍ଟ ବୋଲର ପୁରସ୍କାର ରହିଛି। ରାଜ୍ୟସ୍ତରୀୟ ୩୯ଟି ମ୍ୟାଚ୍ ମଧ୍ୟରୁ ୩୮ଟି ଇନିଂସରେ ସେ ଅର୍ଦ୍ଧଶତକ ପାର କରିଛନ୍ତି।
ପରିବାରର ଆଶା
ସୁଦର୍ଶନ କହିଛନ୍ତି, “ମୋ ସ୍ୱପ୍ନ ଭାଙ୍ଗିଗଲା, କିନ୍ତୁ ପୁଅମାନେ ମୋ ନାମ ଉଜ୍ଜ୍ୱଳ କରୁଛନ୍ତି।” ମା’ ଅନ୍ନପୂର୍ଣ୍ଣାଙ୍କ କହିବା କଥା, “ଦିନେ ନା ଦିନେ ଆମ ପୁଅମାନେ ନିଶ୍ଚୟ ଦେଶ ପାଇଁ ଖେଳିବେ।”
ଦୁଇ ଭାଇଙ୍କ ଏହି ସଂଘର୍ଷ ଓ ସଫଳତା ଆଜି ସମଗ୍ର ବଲାଙ୍ଗୀର ପାଇଁ ଗର୍ବର ବିଷୟ ପାଲଟିଛି। ସେମାନଙ୍କ କାହାଣୀ ପ୍ରମାଣ କରୁଛି ଯେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଅଭାବ ବି ସଫଳତାର ବାଟ ରୋକି ପାରେ ନାହିଁ।
ରିପୋର୍ଟ: ନବସେତୁ ନ୍ୟୁଜ, ବଲାଙ୍ଗୀର
ଫଟୋ କ୍ୟାପସନ: ବଲାଙ୍ଗୀରର ଉଦୀୟମାନ କ୍ରିକେଟର ଯୋଗେଶ୍ୱର ଓ ସିଦ୍ଧେଶ୍ୱର ବାଗ ଏବଂ ତାଙ୍କ ପିତା ସୁଦର୍ଶନ ବାଗ