NABASETULIVE

“କେଜିରୁ ପିଜି ମାଗଣା ଶିକ୍ଷା” ଆରମ୍ଭରୁ ଫେଲ୍: କଲେଜରେ ଫି’ ମାଗୁଛନ୍ତି, ନାମ ଲେଖାଇ ପାରୁନାହାନ୍ତି ଛାତ୍ରଛାତ୍ରୀ

ନବସେତୁ ନ୍ୟୁଜ୍ଭୁବନେଶ୍ୱର:

ରାଜ୍ୟ ସରକାରଙ୍କ ଚର୍ଚ୍ଚିତ ‘ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି: କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’ ଆରମ୍ଭ ଦିନରୁ ହିଁ ଝୁଣ୍ଟିଲାଣି। ଆଜିଠୁ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ଆରମ୍ଭ ହୋଇଥିଲେ ମଧ୍ୟ ଖୋଦ୍ ରାଜଧାନୀ ଭୁବନେଶ୍ୱର କିଛି କଲେଜ ନାମଲେଖା ଫି’ ଦାବି କରିବାରୁ ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରୁନାହାନ୍ତି। ଏନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ଓ ଗତ 8 ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ, ଏହି ଯୋଜନାରେ ନାମଲେଖା ବାବଦରେ ଛାତ୍ରଛାତ୍ରୀଙ୍କଠୁ ଗୋଟିଏ ଟଙ୍କା ବି ନିଆଯିବ ନାହିଁ। SAMS ପୋର୍ଟାଲରେ ମଧ୍ୟ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

ତଥାପି ଭୁବନେଶ୍ୱରର କେତେକ ଅନୁଦାନପ୍ରାପ୍ତ କଲେଜ କ୍ୟାମ୍ପସ ବାହାରେ ଫି’ ତାଲିକା ମାରି ଅଭିଭାବକଙ୍କୁ ନାମଲେଖା ଫି’ ଦେବାକୁ କହୁଛନ୍ତି। ଫଳରେ ଆଜି ପ୍ରଥମ ଦିନରେ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀ ନିରାଶ ହୋଇ ଫେରିଛନ୍ତି। କିଛି କଲେଜ ତ ବିଜ୍ଞପ୍ତି ସମ୍ପର୍କରେ ଜାଣି ନଥିବା କହି ଲୋକଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଛି।

ଖୋର୍ଦ୍ଧାରେ ନାମଲେଖା କମ୍
ଏହି ଅବ୍ୟବସ୍ଥା ଯୋଗୁ ଖୋର୍ଦ୍ଧା ଜିଲ୍ଲାରେ ନାମଲେଖା ବହୁତ କମ୍ ହୋଇଛି। ଆଜି ରାଜ୍ୟରେ ମୋଟ 62,063 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର 166ଟି ବିଦ୍ୟାଳୟରେ ମାତ୍ର 4,413 ଜଣ ହିଁ ନାମ ଲେଖାଇଛନ୍ତି। ଗଞ୍ଜାମରେ ସର୍ବାଧିକ 6,348 ଓ ଗଜପତିରେ ସର୍ବନିମ୍ନ 367 ଜଣ ନାମ ଲେଖାଇଛନ୍ତି।

ଅଭିଭାବକ ମହାସଂଘର ପ୍ରତିକ୍ରିୟା, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି
ଓଡିଶା ଅଭିଭାବକ ମହାସଂଘ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ମହାସଂଘ କହିଛି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ଫି’ ମାଗିବା ହାସ୍ୟାସ୍ପଦ। କେବଳ ନାମଲେଖା ଫି’ ନୁହେଁ, ଯୋଜନାରେ ନାମଲେଖା, ପୁନଃନାମଲେଖା, ଟ୍ୟୁସନ, ଲାଇବ୍ରେରୀ, ଲ୍ୟାବୋରେଟୋରୀ, ସ୍ମାର୍ଟ କ୍ଲାସ, ୟୁନିଅନ୍, ରେଡ୍‌କ୍ରସ୍ ଆଦି ସମସ୍ତ ଫି’ ଆଦାୟ ନ କରିବାକୁ ଏପର୍ଯ୍ୟନ୍ତ ସ୍ପଷ୍ଟ ନିର୍ଦ୍ଦେଶନାମା ଆସିନାହିଁ। ଫଳରେ କଲେଜଗୁଡିକ ନାମଲେଖା ଛାଡି ଅନ୍ୟ ଫି’ ଆଦାୟ କରୁଛନ୍ତି।

ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରାୟ ଏନେଇ ମୁଖ୍ୟମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଓ ଫି’ ଦାବି କରୁଥିବା ଶିକ୍ଷାନୁଷ୍ଠାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସରକାରଙ୍କ ମାଗଣା ଶିକ୍ଷା ସ୍ୱପ୍ନ ସାକାର ହେବା ପୂର୍ବରୁ ହିଁ କଲେଜଗୁଡିକର ଏଭଳି ମନମୁଖୀ ଆଚରଣ ଯୋଜନାର ଉଦ୍ଦେଶ୍ୟକୁ ପ୍ରଶ୍ନ ବାଚୀ କରୁଛି।

ରିପୋର୍ଟ: ନବସେତୁ ବ୍ୟୁରୋ, ଭୁବନେଶ୍ୱର

Leave a Comment

Your email address will not be published. Required fields are marked *

Scroll to Top