ନବସେତୁ ନ୍ୟୁଜ୍ , ପୁରୀ ତାରିଖ : 17.07.2026
ପୁରୀ: ଦୁଇ ବର୍ଷର ଅନୁଭୂତି ସତ୍ତ୍ୱେ ପୁଣି ଥରେ ପୁରୀ ଶ୍ରୀମନ୍ଦିରର ରଥଯାତ୍ରାରେ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଆଜି ଗୁଣ୍ଡିଚା ଯାତ୍ରା ଦିନ ବଡ଼ଦାଣ୍ଡରେ ହୋଇଥିବା ଦଳାଚକଟାରେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇ ପୁରୀ ସଦର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଅଘଟଣକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କ’ଣ ଘଟିଲା?
ଗତ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା। ମାତ୍ର ଦିନ ୧୨ଟା ବେଳେ ମରିଚିକୋଟ ଛକ ନିକଟରେ ହଠାତ୍ ଭିଡ଼ ନିୟନ୍ତ୍ରଣ ହରାଇଯାଇଥିଲା। ଲଗାଣ ବର୍ଷା ଓ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଯୋଗୁଁ ଶତାଧିକ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ଅନୀଲ ଦାସ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଜେଡି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଦାବି କରିଛନ୍ତି ଯେ ପୁରୀ ଡାକ୍ତରଖାନାରେ ୩୫୦ରୁ ଅଧିକ ଆହତ ଓ ଅସୁସ୍ଥ ଭର୍ତ୍ତି ହୋଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଆମ୍ବୁଲାନ୍ସ ଯିବା ପାଇଁ କୌଣସି ସ୍ୱତନ୍ତ୍ର କରିଡର ନଥିଲା। ଭିଡ଼ ଭିତରେ ଆମ୍ବୁଲାନ୍ସ ପଶିବା ପାଇଁ ନାକେଦମ ହେଉଥିଲା। ସୁରକ୍ଷା କର୍ମୀଙ୍କ ଅଭାବ ଯୋଗୁଁ ଆହତମାନଙ୍କୁ ସ୍ୱେଚ୍ଛାସେବୀମାନେ ଟେକି ଆମ୍ବୁଲାନ୍ସ ପାଖକୁ ନେଇଥିଲେ।
ଆଉ କେଉଁ ତ୍ରୁଟି ଦେଖାଦେଲା?
- ବିନା ଟାହିଆରେ ପହଣ୍ଡି: କାଳିଆ ଠାକୁର ବିନା ଟାହିଆରେ ପହଣ୍ଡି ବିଜେ ହୋଇଥିଲେ।
- ରଥ ଅଟକ: ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ମାତ୍ର ୧୦ ହାତ ଗଡି ଅଟକି ଯାଇଥିଲା।
- କାର୍ଡନ ପାସ୍ ବିଭ୍ରାଟ: ଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।
ସରକାରଙ୍କ ଦାବି କ’ଣ?
ଏତେ ବଡ ଅଘଟଣ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ “ରଥଯାତ୍ରା ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁପରିଚାଳିତ ହୋଇଛି। କୌଣସି ଦଳାଚକଟା ହୋଇନାହିଁ”। ବିଜ୍ଞପ୍ତିରେ କୁହାଯାଇଛି ଯେ ମାତ୍ର ୭ ଜଣ ଅସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ୬୦ ବର୍ଷର ଭକ୍ତଙ୍କର ମୃତ୍ୟୁ ହୋଇଛି। ଆଉ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଟାହିଆ ଓଜନ ହେବାରୁ କାଢି ଦିଆଯାଇଥିଲା। ପହଣ୍ଡିରେ ୪୫ ମିନିଟ୍ ବିଳମ୍ବ ମହାପ୍ରଭୁଙ୍କ ଇଚ୍ଛା।
ସୁରକ୍ଷା ବ୍ୟବସ୍ଥା ଥିଲା କ’ଣ?
ଏବର୍ଷ ରଥଯାତ୍ରା ପାଇଁ ୨୩ ଜଣ ଆଇପିଏସ୍, ୧୩,୫୦୦ ସୁରକ୍ଷା କର୍ମୀ ଓ ୪୦୦ ସିସିଟିଭି କ୍ୟାମେରା ନିୟୋଜିତ ହୋଇଥିଲେ। ଇଣ୍ଟଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରୁ ଭିଡ଼ ମନିଟରିଂ ହେଉଥିବା ସରକାର ଦମ୍ଭ କରୁଥିଲେ। ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିଜି ୱାଇ. ବି ଖୁରାନିଆ ମଧ୍ୟ ପୁରୀରେ ଡେରା ପକାଇଥିଲେ। ତଥାପି ଏତେ ବଡ ଅଘଟଣ ଘଟିଲା।
ବିରୋଧୀଙ୍କ ପ୍ରତିକ୍ରିୟା
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭକ୍ତଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରି ଟୁଇଟ୍ କରିଛନ୍ତି। ସେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ସୋସିଆଲ୍ ମିଡିଆରେ ଦଳାଚକଟାର ଭୟାନକ ଦୃଶ୍ୟ ଭାଇରାଲ ହୋଇଛି। ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ଖବର ବଡ ଭାବେ ପ୍ରଚାରିତ ହୋଇଛି।
ଶେଷ ଖବର: ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି।
ଜୟ ଜଗନ୍ନାଥ