NABASETULIVE

ଝଲସିବ ରାଣୀପୁର ଝରିଆଲ ତନ୍ତ୍ରପୀଠ: ୬୦ କୋଟି ବ୍ୟରେ ହେବ ନୂଆରୂପ, ୨ ପର୍ଯ୍ୟାୟରେ ୩୭ କୋଟିର ଟେଣ୍ଡର

ହେଡଲାଇନ: ଝଲସିବ ରାଣୀପୁର ଝରିଆଲ ତନ୍ତ୍ରପୀଠ: ୬୦ କୋଟି ବ୍ୟରେ ହେବ ନୂଆରୂପ, ୨ ପର୍ଯ୍ୟାୟରେ ୩୭ କୋଟିର ଟେଣ୍ଡର

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଆଉ ଏକ ନୂଆ ଫର୍ଦ୍ଦ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଶ୍ୱପ୍ରସିଦ୍ଧ ରାଣୀପୁର ଝରିଆଲର ଚଉଷଠି ଯୋଗିନୀ ପୀଠକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଏହାର ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ରୂପରେଖ ଚୂଡ଼ାନ୍ତ ହୋଇଛି। ଖୁବଶୀଘ୍ର ଏହି ଐତିହାସିକ ତନ୍ତ୍ରପୀଠ ନୂଆ ରୂପରେ ଝଲସିବ।

ଟେଣ୍ଡର ପ୍ରକ୍ରିୟା ଆରମ୍ଭ, ୨୯ରେ ଖୋଲିବ
ରାଣୀପୁର ଝରିଆଲ ତନ୍ତ୍ରପୀଠ ପ୍ରକଳ୍ପର ବିସ୍ତୃତ ବିବରଣୀ (ଡିପିଆର) ସରିବା ପରେ ଭାରତୀୟ ପ୍ରତ୍ନତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ଜାତୀୟ ସ୍ମାରକ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମତି ମିଳିସାରିଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୩୭ କୋଟି ଟଙ୍କା ଖର୍ଚ୍ଚ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଆସନ୍ତା ୨୯ ତାରିଖରେ ଟେଣ୍ଡର ଖୋଲାଯିବ। ଠିକାଦାର କାର୍ଯ୍ୟାଦେଶ ପାଇବାର ୧୫ ମାସ ଭିତରେ କାର୍ଯ୍ୟ ଶେଷ କରିବେ। ଏହାପରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟେଣ୍ଡର ଆହ୍ୱାନ କରାଯିବ ବୋଲି ଓଟିଡିସି ସୂତ୍ରରୁ ଜଣାପଡ଼ିଛି।

ବିଶ୍ୱପ୍ରସିଦ୍ଧ ତନ୍ତ୍ରପୀଠ
ରାଜ୍ୟରେ ଦୁଇଟି ବିଶ୍ୱପ୍ରସିଦ୍ଧ ଚଉଷଠି ଯୋଗିନୀ ପୀଠ ରହିଛି— ଗୋଟିଏ ବଲାଙ୍ଗିର ଜିଲ୍ଲା ରାଣୀପୁର ଝରିଆଲରେ ଓ ଅନ୍ୟଟି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ହୀରାପୁରେ। ଉଭୟ ତନ୍ତ୍ରସାଧନା ପାଇଁ ବେଶ୍ ପ୍ରସିଦ୍ଧ। ରାଣୀପୁର ଝରିଆଲରେ ଚଉଷଠି ଯୋଗିନୀଙ୍କ ଗୋଲାକାର ମନ୍ଦିର, ସୋମେଶ୍ୱର ମହାଦେବ, ଇନ୍ଦ୍ରଲାଠ ମନ୍ଦିର, ବାଣେଶ୍ୱର ମନ୍ଦିର ସମେତ ପ୍ରାୟ ୨୦ରୁ ଅଧିକ ଛୋଟ-ବଡ଼ ମନ୍ଦିର ରହିଛି। ଏହି ପୀଠର ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱ ଥିବାରୁ ଦେଶ-ବିଦେଶର ପର୍ଯ୍ୟଟକ, ଗବେଷକ ଓ ତନ୍ତ୍ରସାଧକଙ୍କୁ ଆକର୍ଷିତ କରିଥାଏ।

ପର୍ଯ୍ୟଟନ ବିକାଶରେ ନୂଆ ଆଶା
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଣୀପୁର ଝରିଆଲର ଭିତ୍ତିଭୂମି, ପର୍ଯ୍ୟଟକ ସୁବିଧା, ସଡ଼କ ସଂଯୋଗ, ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’, ବ୍ୟାଖ୍ୟା କେନ୍ଦ୍ର, ପାର୍କିଂ ଓ ସୌନ୍ଦର୍ଯ୍ୟୀକରଣ ହେବ। ଏହା ଦ୍ୱାରା କେବଳ ବଲାଙ୍ଗିର ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ସ୍ଥାନୀୟ ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳର ଆର୍ଥିକ ବିକାଶ ହେବ ବୋଲି ଆଶା କରାଯାଉଛି।

ରିପୋର୍ଟ: ନବସେତୁ ସମ୍ବାଦାତା, ଭୁବନେଶ୍ୱର

Leave a Comment

Your email address will not be published. Required fields are marked *

Scroll to Top