ବଲାଙ୍ଗିର ସହରର ରାଜେନ୍ଦ୍ର ପଡ଼ା ସ୍ଥିତ ଓବିସି ମଞ୍ଚ କାର୍ଯ୍ୟାଳୟରେ ଆଜି ଜିଲ୍ଲା ଓବିସି ମଞ୍ଚର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନରେ ଓଡ଼ିଶାରେ ବ୍ୟାପକ ଓବିସି ଆନ୍ଦୋଳନ ଗଢ଼ିତୋଳିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକର ମୁଖ୍ୟ ନିଷ୍ପତ୍ତି:
୧. ଗାଁକୁ ଗାଁ ସଂଗଠନ: ପ୍ରତି ଗାଁରେ ଓବିସି ବର୍ଗର ଲୋକଙ୍କୁ ଏକଜୁଟ କରି ଓବିସି ମଞ୍ଚର ଶାଖା ଗଠନ କରାଯିବ।
୨. ସଚେତନତା ଅଭିଯାନ: ଓବିସିଙ୍କ ହକ୍ ଓ ସାମ୍ବିଧାନିକ ଅଧିକାର ପାଇଁ ଗାଁ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ସମସ୍ତ ଓବିସି ସମୁଦାୟଙ୍କୁ ରାଜନୈତିକ ଭାବେ ସଚେତନ କରିବାକୁ ସଂକଳ୍ପ ନିଆଗଲା।
୩. ଭୋଟ୍ ବର୍ଜନ ଚେତାବନୀ: ଯେଉଁ ନିର୍ବାଚନମଣ୍ଡଳୀରେ ଓବିସି ବର୍ଗର ପ୍ରାର୍ଥୀ ନ ଥିବେ, ସେଠାରେ ଭୋଟ୍ ବର୍ଜନ ଭଳି କଠୋର ନିଷ୍ପତ୍ତି ନିଆଯିବ।
୪. ଜାତି ଜନଗଣନା ଦାବି: ଓବିସି ବର୍ଗର ଜାତିଭିତ୍ତିକ ଜନଗଣନା ତୁରନ୍ତ କରାନଗଲେ ପ୍ରତି ପଞ୍ଚାୟତରେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
୫. ନିଜସ୍ୱ ରାଜନୈତିକ ଦଳ: ଆଗାମୀ ଗ୍ରାମ ପଞ୍ଚାୟତ, ବିଧାନସଭା ଓ ଲୋକସଭା ନିର୍ବାଚନରେ ଓବିସି ମଞ୍ଚ ନିଜର ରାଜନୈତିକ ଦଳ ସୃଷ୍ଟି କରି ନିର୍ବାଚନ ଲଢ଼ିବ ଏବଂ ଓବିସି ବିରୋଧୀ ରାଜନୈତିକ ଦଳକୁ ପ୍ରଚଣ୍ଡ ଭାବେ ବିରୋଧ କରିବ।
ସଭାପତିଙ୍କ ହୁଙ୍କାର
ରାଜ୍ୟ ସଭାପତି ଶଙ୍କର ପାତ୍ର କହିଲେ, “ଦଶନ୍ଧି ଦଶନ୍ଧି ଧରି ଓବିସି ସମାଜ ଶୋଷିତ ହୋଇ ଆସୁଛି। ଆମ ସଂଖ୍ୟା ଅଧିକ ହେଲେ ବି ଶାସନ ଓ ସମ୍ପଦରେ ଆମ ଭାଗ ନାହିଁ। ଏବେ ଆଉ ଚୁପ୍ ବସିବା ନାହିଁ। ସମଗ୍ର ଓଡ଼ିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ଓବିସି ମଞ୍ଚ କାର୍ଯ୍ୟ କରିବ। ଓବିସିଙ୍କ ବିନା କୌଣସି ସରକାର ଗଠନ ହୋଇପାରିବ ନାହିଁ—ଏହା ଆମେ ପ୍ରମାଣ କରିଦେବୁ।”
ତାଙ୍କ ଏହି ମନ୍ତବ୍ୟକୁ ଉପସ୍ଥିତ ସମସ୍ତ କର୍ମକର୍ତା ହାତତାଳି ଦେଇ ପୂର୍ଣ ସମର୍ଥନ ଜଣାଇଥିଲେ।
ଉପସ୍ଥିତ ନେତୃବୃନ୍ଦ
ବୈଠକରେ ଜିଲ୍ଲା ଓବିସି ମଞ୍ଚ ସମ୍ପାଦକ ପ୍ରଦେଶୀ ବିଶ୍ୱାଲ, ଆନନ୍ଦ ପ୍ରଧାନ, ମଧୁସୂଦନ କ୍ଷେତୀ, ଶାନ୍ତନୁ ଭୋଇ, ନବସେତୁ ନ୍ୟୁଜ ସମ୍ପାଦକ ପୂର୍ଣଚନ୍ଦ୍ର ବିଶ୍ୱାଲ, ବ୍ରଜ ଭୂଷଣ ସାଏ, ବରିଷ୍ଠ ଓବିସି ନେତା ବାଳକୃଷ୍ଣ ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଓବିସି ମଞ୍ଚର ସଂଯୋଜକ ସରୋଜ କୁମାର ମେଶ୍ଵା ଧନ୍ୟବାଦ ଅର୍ପଣ କରିଥିଲେ।
Thank u ନବସେତୁ