ସୋମବାର ଅନୁଷ୍ଠିତ ହେବ ଜିଲ୍ଲା ଓ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଆସନ୍ତା ତା: ୨୯/୦୬/୨୦୨୬ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ଜନସାଧାରଣଙ୍କ ଅଭିଯୋଗ ସମାଧାନ ପାଇଁ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାସ୍ତରୀୟ ଶୁଣାଣି ଶିବିର ସକାଳ ୧୦ ଘଟିକାରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବେ।
ସେହିପରି ସମସ୍ତ ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଏଥିରେ ସମ୍ପୃକ୍ତ ବିଡିଓ, ତହସିଲଦାର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣି ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ରାସନ କାର୍ଡ, ଭତ୍ତା, ପାନୀୟ ଜଳ, ବିଦ୍ୟୁତ୍, ରାସ୍ତା, ଜମିଜମା, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସରକାରୀ ସେବା ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ଥିଲେ ଆବଶ୍ୟକ କାଗଜପତ୍ର ସହ ଶିବିରରେ ଉପସ୍ଥିତ ହୋଇ ଅଭିଯୋଗ ଦାଖଲ କରନ୍ତୁ।
ବିଶେଷକରି ଭିନ୍ନକ୍ଷମ, ବୟସ୍କ ଓ ଦୂରବର୍ତ୍ତୀ ଅଞ୍ଚଳର ଲୋକମାନେ ଯେପରି ସହଜରେ ନିଜ ଅଭିଯୋଗ ଜଣାଇପାରିବେ ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।