NABASETULIVE

ପାଠ୍ୟପୁସ୍ତକରେ ୨,୧୪୮ ଭୁଲ: ଜୁଲାଇ ୧ରେ ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଗଣଧାରଣା, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ନବସେତୁ ନ୍ୟୁଜ | ଭୁବନେଶ୍ୱରତା ୨୯/୦୬/୨୦୨୬ | ସୋମବାର

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟ ପାଠ୍ୟପୁସ୍ତକ (ଶ୍ରେଣୀ ୧ରୁ ୮)ରେ ପ୍ରାୟ ୨,୧୪୮ଟି ଗୁରୁତର ଭୁଲ ଓ ବିକୃତି ଥିବା ଅଭିଯୋଗ କରି ଭାରତ ମୁକ୍ତି ମୋର୍ଚ୍ଚା ଏବଂ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ଓଡ଼ିଶା ପକ୍ଷରୁ ଆସନ୍ତା ୧ ଜୁଲାଇ ୨୦୨୬, ବୁଧବାର ଦିନ ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ ଗଣଧାରଣା ଡାକରା ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସ୍ମାରକପତ୍ରେ ମୁଖ୍ୟ ଦାବି:
ଭାରତ ମୁକ୍ତି ମୋର୍ଚା, ଓଡ଼ିଶା ରାଜ୍ୟ ସଭାପତି ମା. ମାଧବ ସୁନାନୀ (82495 84512) ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚାର ରାଜ୍ୟ ଅଧ୍ୟକ୍ଷ ଈ. ମନୋରଞ୍ଜନ ନାଏକ (95567 30164)ଙ୍କ ଦ୍ୱାରା ସ୍ୱାକ୍ଷରିତ ସ୍ମାରକପତ୍ରରେ ନିମ୍ନଲିଖିତ ଦାବି ରଖାଯାଇଛି:

୧. ପାଠ୍ୟପୁସ୍ତକରେ ଭୁଲ ସଂଶୋଧନ:
ଶ୍ରେଣୀ ୧ରୁ ୮ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକରେ ପ୍ରାୟ ୨,୧୪୮ଟି ଗୁରୁତର ଭୁଲ ଓ ବିକୃତି ରହିଛି। ଏଗୁଡ଼ିକ କେବଳ ସାଧାରଣ ମୁଦ୍ରଣ ଜନିତ ଭୁଲ ନୁହେଁ, ଇତିହାସ, ଭୂଗୋଳ, ବିଜ୍ଞାନ ଏବଂ ସାଂସ୍କୃତିକ ତଥ୍ୟରେ ମଧ୍ୟ ବିକୃତି ରହିଛି, ଯାହା ଓଡ଼ିଶାର ପ୍ରକୃତ ଐତିହ୍ୟକୁ ବିକୃତ କରୁଛି।

କିଛି ଉଦାହରଣ:

  • ଅଷ୍ଟମ ଶ୍ରେଣୀ ବିଜ୍ଞାନ ପୁସ୍ତକ ପୃଷ୍ଠା-୩୫ରେ ଆଧୁନିକ ପର୍ଯ୍ୟାୟ ସାରଣୀ ଉପରେ ଆଲୋଚନା କରାଯାଇଛି ଓ ଚାଇନିଜ୍ ବୈଜ୍ଞାନିକ ମେଣ୍ଡେଲିଫଙ୍କ ନାମରେ ମିଥ୍ୟା ତଥ୍ୟ ଦିଆଯାଇଛି।
  • ସପ୍ତମ ଶ୍ରେଣୀ ସାମାଜିକ ବିଜ୍ଞାନ ପୃଷ୍ଠା-୩୮ରେ ଭାରତର ନୃତ୍ୟ ବିଷୟରେ ଆଲୋଚନା କରି ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ‘ଓଡ଼ିଶୀ’କୁ ‘ଦକ୍ଷିଣ ଭାରତ’ର ନୃତ୍ୟ ଭାବେ ଦର୍ଶାଯାଇଛି।
  • ବିଜ୍ଞାନୀ ‘ଆଇଜାକ୍ ନ୍ୟୁଟନ’ଙ୍କୁ “ମନ୍ଦିର ପାଇଁ ପୂଜାରୀ” ବୋଲି ଲେଖାଯାଇଛି।
  • ଓଡ଼ିଶା ବିଧାନସଭା ସ୍ଥାନରେ କର୍ଣାଟକ ବିଧାନସଭାର ଫଟୋ ଛପାଯାଇଛି।
  • ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ପୃଷ୍ଠା-୧୮୯ରେ “ଭୂମି ଓ ଜନସଂଖ୍ୟା” ଅଧ୍ୟାୟରେ ଦାରିଦ୍ର୍ୟର ସାମ୍ପ୍ରଦାୟିକ ଓ ଆଞ୍ଚଳିକ ଭାବନାର ବ୍ୟାଖ୍ୟା ଦିଆଯାଇଛି।

୨. ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରି ପୂର୍ବର ପାଠ୍ୟପୁସ୍ତକ ପଢ଼ାଇବା ବ୍ୟବସ୍ଥା କରାଯାଉ।

୩. ନୂଆ ଶିକ୍ଷାନୀତି-୨୦୨୦ ପ୍ରତ୍ୟାହାର: ଏହି ନୀତି ମାଧ୍ୟମରେ ବହୁଜନ ସମାଜକୁ ଶିକ୍ଷା ଅଧିକାରରୁ ବଞ୍ଚିତ କରି ଘରୋଇକରଣ ଓ ବ୍ୟବସାୟିକରଣ ଫାନ୍ଦରେ ଫସାଇବାର ସୁପରିକଳ୍ପିତ ଷଡ଼ଯନ୍ତ୍ର କରାଯାଉଛି। ତେଣୁ ଏହାର ସମ୍ପୂର୍ଣ ପ୍ରତ୍ୟାହାର କରାଯାଉ।

୪. KG ରୁ PG ମାଗଣା ଶିକ୍ଷା ଲାଗୁ: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୨ ଜୁନ୍ ୨୦୨୬ରେ କରାଯାଇଥିବା KG ରୁ PG ପର୍ଯ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ମାଗଣା ଶିକ୍ଷା ଘୋଷଣାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ବର୍ତମାନ ମଧ୍ୟ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା ପାଇଁ ହଜାର ହଜାର ଟଙ୍କା ଆଦାୟ କରାଯାଉଛି।

୫. ଖାଲି ଶିକ୍ଷକ ପଦବୀ ପୂରଣ: OTET, CT, http://B.Ed ଆଦି ଯୋଗ୍ୟତା ଥାଇ ମଧ୍ୟ ନିଯୁକ୍ତି ଅପେକ୍ଷାରେ ଥିବା ଆଶାୟୀଙ୍କୁ ନିଯୁକ୍ତି ଦେଇ ପ୍ରାଥମିକ ବିଦ୍ୟାଳୟରେ ୪୫,୦ରୁ ଅଧିକ, ମାଧ୍ୟମିକ ବିଦ୍ୟାଳୟରେ ୧୫,୦୦୦ରୁ ଅଧିକ ଓ ଆଦିବାସୀ ବିଦ୍ୟାଳୟରେ ୨୦୦ରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଉ।

କାର୍ଯ୍ୟକ୍ରମ ବିବରଣୀ:

  • ତାରିଖ: ୧ ଜୁଲାଇ ୨୦୨୬ (ବୁଧବାର)
  • ସମୟ: ସକାଳ ୧୦:୦ ଘଟିକା ଠାରୁ ଅପରାହ୍ଣ ୩:୦ ଘଟିକା ପର୍ଯ୍ୟନ୍ତ
  • ସ୍ଥାନ: ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ (ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ) ଏକାଳୀନ ଶାନ୍ତିପୂର୍ଣ ପ୍ରତିବାଦ।

ଚେତାବନୀ
ସ୍ମାରକପତ୍ରରେ ଉଲ୍ଲେଖ ଅଛି ଯେ, ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ବ୍ୟାପକ ଗଣତାନ୍ତ୍ରିକ ପ୍ରତିବାଦ ଏବଂ ଆଇନଗତ ଉପାୟ ଅବଲମ୍ବନ କରିବାକୁ ବାଧ୍ୟ ହେବୁ। ଓଡ଼ିଶାର ଭବିଷ୍ୟତ ପିଢ଼ିର ଶିକ୍ଷାଗତ ଅଧିକାର ଓ ସାଂସ୍କୃତିକ ଐତିହ୍ୟକୁ ରକ୍ଷା କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ।

ଗଣମାଧ୍ୟମକୁ ନିବେଦନ
ମୋର୍ଚା ପକ୍ଷରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଛି ଯେ, ଏହି ମହତ୍ୱପୂର୍ଣ ଆନ୍ଦୋଳନର ଖବର ପ୍ରଚାର/ପ୍ରସାରିତ କରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଆବାଜକୁ ସରକାର ତଥା ଜନତାଙ୍କ ପାଖରେ ପହଞ୍ଚାଇବାରେ ସହଯୋଗ କରନ୍ତୁ।

ରିପୋର୍ଟ: ନବସେତୁ ନ୍ୟୁଜ ବ୍ୟୁରୋ

Leave a Comment

Your email address will not be published. Required fields are marked *

Scroll to Top