NABASETULIVE

ମୁରିବାହାଲରେ ମନରେଗା ମହାଦୁର୍ନୀତି!ଗୋଟିଏ ଗାଁରେ ୨ କୋଟି ଖର୍ଚ୍ଚ

ନବସେତୁ ନ୍ୟୁଜ | ହଟ୍ ନ୍ୟୁଜ୍ବଲାଙ୍ଗୀର, ଶୁକ୍ରବାର, ୩ ଜୁଲାଇ, ୨୦୨୬

ମୁରିବାହାଲରେ ମନରେଗା ମହାଦୁର୍ନୀତି!
ଗୋଟିଏ ଗାଁରେ ୨ କୋଟି ଖର୍ଚ୍ଚ, କାମ କିନ୍ତୁ ଶୂନ
ଗୋଟିଏ ପୋଖରୀକୁ ତିନି ନାମ ଦେଇ ଲୁଟ୍, ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଞ୍ଚଲ୍ୟକର ଦୁର୍ନୀତି ପଦାକୁ ଆସିଛି। ଗଡ଼ଗଡ଼ବାହାଲ ପଞ୍ଚାୟତ ସଦର ଗାଁରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କାର ମନରେଗା କାମ ହୋଇଥିବା ସରକାରୀ ପୋର୍ଟାଲରେ ଦର୍ଶାଯାଇଥିବା ବେଳେ ବାସ୍ତବରେ ଗାଁରେ କାମର ଚିହ୍ନବର୍ଣ୍ଣ ନାହିଁ।

କାଗଜରେ କାମ, ଜମିରେ ଶୂନ
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ମାତ୍ର ୪ଟି ପୋଖରୀ ଥିବା ବେଳେ ମଷ୍ଟର ରୋଲରେ ୭ଟି ପୋଖରୀ ନାମରେ କାମ ଦେଖାଯାଇଛି। ଗତ ମାସରେ ଗୋଟିଏ ପୋଖରୀ ନିକଟରେ ଭଙ୍ଗା ସୂଚନାଫଳକ ମିଳିଥିଲା। ସେହି ଗୋଟିଏ ପୋଖରୀକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନୂଆମୁଣ୍ଡା, ମନ୍ଦିରମୁଣ୍ଡା ଓ ଖଲିଆମୁଣ୍ଡା ନାମରେ ତିନି ଥର ଦର୍ଶାଇଛନ୍ତି। ଭିନ୍ନ ଭିନ୍ନ ନାମରେ ଗୋଟିଏ ପୋଖରୀର ଟଙ୍କା ତିନି ଥର ଉଠାଯାଇ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ, ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ପୋଖରୀ ଗୁଡ଼ିକୁ ଭିନ୍ନ ନାମରେ ଦର୍ଶାଇ କାମ ନକରିଥିବା ଲୋକଙ୍କ ଖାତାରେ ମଜୁରି ଟଙ୍କା ଜମା କରି ପରେ ଉଠାଇ ନିଆଯାଇଥିବା ଅଭିଯୋଗ ଆସିଛି।

ଅଧିକାରୀଙ୍କ ନୀରବତା
ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶରତ ଚନ୍ଦ୍ର ଭୋଇ ପୂର୍ବରୁ ପୋଖରୀଗୁଡ଼ିକର ନାମ ଦିଆଯାଇଥିବା କହି ଦାୟିତ୍ୱ ଖସାଇ ଦେଇଛନ୍ତି। ସେହିପରି ଏଡିଇଓ ଦିବ୍ୟ ପୂଝାରୀ ଫୋନ୍ ଉଠାଉ ନାହାନ୍ତି।

ଲୋକଙ୍କ ଦାବି: କଠୋର କାର୍ଯ୍ୟାନୁଷ୍ଠାନ ହେଉ
ଗରିବଙ୍କ ପେଟକୁ ଦାନା ଓ ହାତକୁ କାମ ଯୋଗାଇବା ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନାରେ ଏଭଳି ସଂଗଠିତ ଲୁଟ୍ ଗ୍ରାମବାସୀଙ୍କୁ ଆନ୍ଦୋଳିତ କରିଛି। ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି।

ସରକାରଙ୍କୁ ଅନୁରୋଧ
ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ବିଭାଗକୁ ଆମର ଅନୁରୋଧ, ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ଜିଲ୍ଲାସ୍ତରୀୟ ତଦନ୍ତ ଟିମ୍ ଗଠନ କରାଯାଉ। ଦୋଷୀ ବିଡିଓ, ଯନ୍ତ୍ରୀ, ପିଇଓ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ସମସ୍ତ ଆତ୍ମସାତ ଟଙ୍କା ଆଦାୟ କରାଯାଉ। ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହିଁ ଗ୍ରାମାଞ୍ଚଳରେ ଦୁର୍ନୀତିକୁ ରୋକିପାରିବ ଏବଂ ମନରେଗା ପ୍ରତି ଲୋକଙ୍କ ଆସ୍ଥା ଫେରାଇ ଆଣିବ।

ଫଟୋ କ୍ୟାପସନ୍: ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ ଗାଁର ସେହି ପୋଖରୀ, ଯାହାକୁ ତିନି ନାମରେ ଦର୍ଶାଇ ୨ କୋଟି ହଡ଼ପ ଅଭିଯୋଗ।

Leave a Comment

Your email address will not be published. Required fields are marked *

Scroll to Top