ନବସେତୁ ସ୍ପେଶାଲ୍ ରିପୋର୍ଟପାଟଣାଗଡ଼, ତା. ୦୪।୦୭।୨୦୨୬:
ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ ଜାତିପ୍ରଥାର କୁତ୍ସିତ ରୂପ ବଞ୍ଚି ରହିଛି। ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତର ତୁଳସୀଡୁଙ୍ଗୁରି ଗ୍ରାମରେ ସାମାଜିକ ବାସନ୍ଦ ଯୋଗୁଁ ଜଣେ ବ୍ୟକ୍ତିଙ୍କ ଶବ ୧୦ ଘଣ୍ଟା ଧରି ପଡ଼ି ରହିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଘଟଣାର ବିବରଣୀ
ଗ୍ରାମର ଅର୍ଜୁନ ବନଗୁଲା ଗତ ରାତିରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ମୃତ୍ୟୁ ପରେ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଶବକୁ ଛୁଇଁବାକୁ, ସତ୍କାର କରିବାକୁ କିମ୍ବା ଚାରି କାନ୍ଧ ଦେବାକୁ ଘର ଲୋକେ, ଜାତି ଭାଇ କିମ୍ବା ଗ୍ରାମବାସୀ କେହି ଆସିନଥିଲେ।
କାରଣ ଅର୍ଜୁନ ବନଗୁଲା ଅନ୍ୟ ଜାତିର ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହ ଦିନରୁ ହିଁ ସମାଜ ତାଙ୍କୁ ଆଜୀବନ ସାମାଜିକ ବାସନ୍ଦ କରିଥିଲା। ଯିଏ ଶବ ଛୁଇଁବ କି ସତ୍କାର କରିବ ତାଙ୍କୁ ମଧ୍ୟ ବାସନ୍ଦ କରାଯିବ ବୋଲି ଭୟ ଥିବାରୁ କେହି ସାହାଯ୍ୟ ପାଇଁ ଆଗକୁ ଆସିନଥିଲେ।
ଘରେ ତାଙ୍କ ସ୍ତ୍ରୀ ରମ୍ଭା ବନଗୁଲା ଏବଂ ପୁଅ ସମାରୁ ବନଗୁଲା ଥିଲେ ମଧ୍ୟ ଏକା ହାତରେ ଶବ ସତ୍କାର କରିବା ସମ୍ଭବ ହୋଇନଥିଲା। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସାମାଜିକ ବାସନ୍ଦ କାରଣରୁ ଅର୍ଜୁନଙ୍କ ବଡ଼ ଝିଅ ନିଜ ଜାତିରେ ବିବାହ କରିପାରି ନଥିଲେ ଏବଂ ଉତ୍ତରପ୍ରଦେଶରେ ବିବାହ କରିଥିଲେ।
ସମାଜସେବୀ କାନ୍ଧ ଦେଇ କଲେ ଶବ ସତ୍କାର
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସାମାଜିକ କର୍ମୀ ଆଦିବାସୀ ନେତା ଗିରିରାଜ ଭୋଇ, ମାନବାଧିକାର କର୍ମୀ ଜନସନ ନାଗ, ସାମ୍ବାଦିକ ପ୍ରବୀଣ ପୁରୋହିତ, ବରିଷ୍ଠ ଓକିଲ ରାଣା ପ୍ରଧାନ ଏବଂ ଦିଲୀପ କୁମୁରା ଗ୍ରାମରେ ପହଞ୍ଚିଥିଲେ। ସେମାନେ ଶବକୁ ସସମ୍ମାନେ ଚାରି କାନ୍ଧ ଦେଇ ପ୍ରାୟ ୨ କିଲୋମିଟର ଦୂରେ ଥିବା ସଂରକ୍ଷିତ ଜଙ୍ଗଳକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
ସମାଜସେବୀ ମାନଙ୍କର ଏହି ମହତ୍ କାର୍ଯ୍ୟକୁ ଅଞ୍ଚଳରେ ବ୍ୟାପକ ପ୍ରଶଂସା କରାଯାଉଥିବା ବେଳେ ଏଭଳି ଅମାନବୀୟ ପରମ୍ପରାକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି।
ପ୍ରଶ୍ନବାଚୀ
ସଂବିଧାନରେ ସମାନତାର କଥା ଥିବା ସତ୍ତ୍ୱେ ଆଜି ବି ଅନ୍ୟ ଜାତିରେ ବିବାହ କଲେ ସାମାଜିକ ବାସନ୍ଦ ଭଳି କୁପ୍ରଥା କାହିଁକି ବଞ୍ଚି ରହିଛି? ମୃତ୍ୟୁ ପରେ ମଧ୍ୟ ଜଣେ ମଣିଷକୁ ସମ୍ମାନ ମିଳିପାରୁ ନାହିଁ – ଏହା ସମାଜ ପାଇଁ ଏକ ବଡ଼ ଲଜ୍ଜାର ବିଷୟ।
ନବସେତୁ ମତ: ଶିକ୍ଷା ଏବଂ ସଚେତନତା ହିଁ ଏଭଳି କୁପ୍ରଥାର ଏକମାତ୍ର ଔଷଧ। ପ୍ରଶାସନ ଏବଂ ସାମାଜିକ ସଂଗଠନ ମିଳିତ ଭାବେ ଏହା ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ଜରୁରୀ।
ଧନ୍ୟବାଦ ନବସେତୁ ନ୍ଯୁଜ