ନବସେତୁ ନ୍ୟୁଜ୍ରାୟଗଡ଼ା, ୦୬.୦୭.୨୦୨୬
ମାସକରେ ଜିଲ୍ଲାରୁ ତିନି ଜୀବନ, ଦାଦନ ପରିବାରେ ଶୋକ ଓ ଆତଙ୍କ
ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିବା ରାୟଗଡ଼ା ଜିଲ୍ଲାର ଆଉ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ କାଶୀପୁର ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଅନ୍ତର୍ଗତ ଚାନ୍ଦଗିରି ଗ୍ରାମର କୁଳଧର ଗୌଡ଼।
ତାମିଲନାଡ଼ୁରେ କାର୍ଯ୍ୟ କରୁଥିବା ସ୍ଥାନରେ ଗୋଟିଏ ଗଛରେ କୁଳଧରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ଆତ୍ମହତ୍ୟା ନା ହତ୍ୟା କରି ଟାଙ୍ଗି ଦିଆଯାଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ପରିବାର ଲୋକେ ତାଙ୍କ ମୃତଦେହକୁ ଜନ୍ମାଟି କାଶୀପୁରକୁ ଫେରାଇ ଆଣିବା ପାଇଁ ଶ୍ରମ ବିଭାଗକୁ ନିବେଦନ କରିଛନ୍ତି।
ମାସକରେ ୩ ଜୀବନ ଗଲାଣି
ଗତ ମାସ ମଧ୍ୟରେ ରାୟଗଡ଼ା ଜିଲ୍ଲାରୁ ଦାଦନ ଖଟିବାକୁ ଯାଇ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
- ପ୍ରଦୀପ ଦୀପ ଶବର: ଗୁଣପୁର ବ୍ଲକ ଶଗଡ଼ା ପଞ୍ଚାୟତ ଆଲଙ୍ଗଡ଼ା ଗ୍ରାମର ପ୍ରଦୀପଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।
- ବିଲମା ଗମାଙ୍ଗ: ଗତ ମାସରେ ଶଗଡ଼ା ଗ୍ରାମର ବିଲମା ଗମାଙ୍ଗ ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲା ଭୀମାବରମର ଏକ ଚିଙ୍ଗୁଡି କମ୍ପାନୀରେ କାମ କରୁଥିବା ବେଳେ ହଷ୍ଟେଲ ନିକଟ ଗଛରେ ତାଙ୍କର ମଧ୍ୟ ଝୁଲନ୍ତା ମୃତଦେହ ମିଳିଥିଲା।
ମାତ୍ର ୩୫ ଦିନ ମଧ୍ୟରେ ଜିଲ୍ଲାର ୩ ଜଣ ଦାଦନ ଶ୍ରମିକଙ୍କ ଏଭଳି ଅପମୃତ୍ୟୁ ସମଗ୍ର ଜିଲ୍ଲାର ଶ୍ରମିକ ପରିବାରେ ଶୋକ ସହ ଆତଙ୍କ ସୃଷ୍ଟି କରିଛି।
କାହିଁକି ବାହାରକୁ ଯାଉଛନ୍ତି ରାୟଗଡ଼ାର ଯୁବକ?
ରାୟଗଡ଼ା ଜିଲ୍ଲାରୁ ପ୍ରାୟ ୫୦ ହଜାରୁ ଊର୍ଦ୍ଧ୍ଵ ଯୁବକ-ଯୁବତୀ ଦାଦନ ଶ୍ରମିକ ଭାବେ ଦେଶର ବିଭିନ୍ନ ରାଜ୍ୟରେ କାମ କରୁଛନ୍ତି। ଅଧିକାଂଶ ଦକ୍ଷିଣ ଭାରତକୁ ଯାଉଛନ୍ତି।
ସରକାରୀ ସୂଚନା ଅନୁଯାୟୀ କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକରୁ ସର୍ବାଧିକ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି। କାଶୀପୁରେ ଖଣି ଓ ଶିଳ୍ପ ଥିବା ସତ୍ତ୍ୱେ ସେହି ଅଞ୍ଚଳରୁ ହିଁ ସର୍ବାଧିକ ଦାଦନ ଯାଉଥିବା ଘଟଣା ଏଠାକାର ବିକାଶ ଓ ରୋଜଗାର ଯୋଜନା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ସରକାର ତୁରନ୍ତ କଡା ପଦକ୍ଷେପ ନିଅନ୍ତୁ ଏବଂ ଜିଲ୍ଲା ଭିତରେ ରୋଜଗାର ସୁଯୋଗ ସୃଷ୍ଟି କରନ୍ତୁ।
ରିପୋର୍ଟ: ନବସେତୁ ବ୍ୟୁରୋ, ରାୟଗଡ଼ା