ନବସେତୁ ନ୍ୟୁଜ୍ | ଜାତୀୟ / ବଲାଙ୍ଗୀରତା: 21.07.2026 | ସ୍ମାରକ ନଂ: BMM/RMM/Memorandum/139/2026
ବଲାଙ୍ଗୀର: ଦେଶରେ ବର୍ତମାନ ଚାଲିଥିବା ସାମାଜିକ-ରାଜନୈତିକ ପରିସ୍ଥିତିରେ ସମ୍ବିଧାନର ମୌଳିକ ସିଦ୍ଧାନ୍ତ, ସାମାଜିକ ସୌହାର୍ଦ୍ୟ ଓ ନାଗରିକ ସମାନତା ଉପରେ ଆଘାତ ହେଉଥିବା ଅଭିଯୋଗ କରି “ମୂଳନିବାସୀ ବହୁଜନ ମିଳିତ ମହାସଂଘ” ଓ “ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା” ପକ୍ଷରୁ ଆଜି ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ 13 ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସଂଗଠନ ପକ୍ଷରୁ ସଭାପତି ସରୋଜ କୁମାର ମେଶ୍ୱା ଓ ମହମ୍ମଦ ଜାବେଦ ଖାଁ ଏହି ସ୍ମାରକପତ୍ର ଦାଖଲ କରିଛନ୍ତି।
13 ଦଫା ମୁଖ୍ୟ ଦାବି:
- AMU ର 38 ଟି ଭବନ ଭଙ୍ଗା ନୋଟିସ୍ ପ୍ରତ୍ୟାହାର: ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର 38ଟି ଭବନ ଭଙ୍ଗା ନୋଟିସ୍ କୁ ତୁରନ୍ତ ପ୍ରତ୍ୟାହାର କରିବା। ଏହା ଶିକ୍ଷା ଓ ସମ୍ପ୍ରଦାୟର ପ୍ରଗତି ବିରୋଧୀ ବୋଲି କୁହାଯାଇଛି।
- ସମ୍ବିଧାନ ବିରୋଧୀ ଆଇନ ପ୍ରତ୍ୟାହାର: CAA, UCC, Waqf ସଂଶୋଧନ ଆଇନ-2025 ଭଳି ଆଇନ ପ୍ରତ୍ୟାହାର କରିବା।
- ଧାର୍ମିକ ସ୍ୱାଧୀନତା ରକ୍ଷା: ସମ୍ବିଧାନର ଅନୁଚ୍ଛେଦ 25, 26, 27, 28, 29 ର ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା।
- ମବ୍ ଲିଞ୍ଚିଂ ଓ ନକଲି ଗୋରକ୍ଷା ନାମରେ ହତ୍ୟା ବନ୍ଦ: ମୁସଲମାନଙ୍କୁ ଟାର୍ଗେଟ୍ କରି ହେଉଥିବା ହତ୍ୟା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତ ପରିବାରକୁ ନ୍ୟାୟ ଦେବା।
- ନିର୍ଦ୍ଦୋଷ ମୁସଲିମ ଯୁବକ ଓ ଆଲେମଙ୍କ ମୁକ୍ତି: ମିଥ୍ୟା ମାମଲାରେ ଜେଲରେ ଥିବା ମୁସଲିମ ଯୁବକ, ଛାତ୍ର ଓ ଆଲେମ-ଏ-ଦୀନଙ୍କୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ମୁକ୍ତ କରିବା।
- ସାମ୍ପ୍ରଦାୟିକ ହିଂସା ନିରୋଧ ଆଇନ ଲାଗୁ: ଧର୍ମ ଆଧାରିତ ହିଂସା ରୋକିବା ପାଇଁ ସ୍ୱତନ୍ତ୍ର ଆଇନ ତୁରନ୍ତ ଲାଗୁ କରିବା।
- ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ବନ୍ଦ: ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମସଜିଦ୍, ଦରଗା, ମଦ୍ରସା, ଗିର୍ଜାଘର, ଗୁରୁଦ୍ୱାରା, ବୌଦ୍ଧବିହାର ଉପରେ ହେଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବା।
- Places of Worship Act-1991 କଡ଼ାକଡ଼ି ଲାଗୁ: 15 ଅଗଷ୍ଟ 1947 ର ଧାର୍ମିକ ସ୍ଥଳର ସ୍ଥିତି ବଜାୟ ରଖିବା।
- ଅନୁଚ୍ଛେଦ 341(3) ର ପ୍ରତିବନ୍ଧକ ହଟାଇବା: ଧର୍ମ ଆଧାରରେ ଆରକ୍ଷଣରୁ ବଞ୍ଚିତ କରିବାର ବ୍ୟବସ୍ଥା ଉଠାଇବା।
- ଜାତି ଆଧାରିତ ଜନଗଣନା: SC, ST, OBC ଓ ମାଇନୋରିଟିଙ୍କୁ ଜନସଂଖ୍ୟା ଅନୁପାତରେ ଶାସନ, ଶିକ୍ଷା ଓ ରୋଜଗାରରେ ପ୍ରତିନିଧିତ୍ୱ ଦେବା।
- ମହାପୁରୁଷଙ୍କ ଅପମାନ ଉପରେ କାର୍ଯ୍ୟାନୁଷ୍ଠାନ: ହଜରତ ମହମ୍ମଦ ସାଲଲାହୁ ଅଲୈହି ୱସଲ୍ଲମ ଓ ମୂଳନିବାସୀ ମହାପୁରୁଷଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ।
- ସଚ୍ଚର, ମିଶ୍ରା, ରଙ୍ଗନାଥ କମିଶନ ରିପୋର୍ଟ ଲାଗୁ: 1983 ରୁ 2014 ଯାଏଁ ଥିବା ରିପୋର୍ଟର ଲମ୍ବିତ ସୁପାରିଶ ତୁରନ୍ତ ଲାଗୁ କରିବା।
- ସାମ୍ପ୍ରଦାୟିକ ଘୃଣା ଖେଳାଉଥିବା ସଂଗଠନ ଉପରେ କଟକଣା: ଧର୍ମ ଓ ଜାତି ନାମରେ ହିଂସା ଖେଳାଉଥିବା ସଂଗଠନକୁ ଆଇନ ପରିସରକୁ ଆଣି ପ୍ରତିବନ୍ଧ ଲଗାଇବା।
ସଂଗଠନ କହିଛି ଯେ ଦେଶରେ ସମ୍ବିଧାନ, ଲୋକତନ୍ତ୍ର ଓ ସାମାଜିକ ନ୍ୟାୟ ରକ୍ଷା ପାଇଁ ଏହି ଦାବି ଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍ ସାରା ଦେଶରେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ।
Thank you NABASETU