ବେଲପଡ଼ା, ୧୬/୦୮/୨୦୨୬: ବେଲପଡ଼ା ବ୍ଲକର ନୂଆ ବସ୍ଷ୍ଟାଣ୍ଡ ନିକଟରେ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ କମିଟି ପକ୍ଷରୁ ଆଶା କର୍ମୀ ଲତା ପୁଟେଲଙ୍କ ଆହ୍ୱାନକ୍ରମେ ଏବଂ ମଦନା ପୁଟେଲଙ୍କ ସଭାପତିତ୍ୱରେ ବ୍ଲକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୁରୁଣା କମିଟିର କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବାରୁ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି।
ଏହି ସମ୍ମିଳନୀରେ ଜିଲ୍ଲା ସଂଗଠନର ସଭାପତି ତଥା ରାଜ୍ୟ ଉପ-ସଭାପତି ତୀର୍ଥ ପ୍ରଧାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଏଆଇଟିୟୁସିର ସହ-ସମ୍ପାଦକ ସାଏବୁ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ନୂତନ ବ୍ଲକ କମିଟିର ସଭାପତି ଭାବେ ଲତା ପୁଟେଲ, ସମ୍ପାଦିକା ସତ୍ୟଭାମା ଲିଟି, ଉପ-ସଭାପତି ମଦନାବତୀ ପୁଟେଲ, ସହ-ସମ୍ପାଦିକା ଦିଲେଶ୍ୱରୀ ସାହୁ, କୋଷାଧ୍ୟକ୍ଷା ଯଜ୍ଞସେନୀ ସେଠ ଏବଂ ଏକ୍ଟିଭ୍ ସଦସ୍ୟା ଭାବେ ରତ୍ନାବତୀ ଗଇନ୍ତା, ବିଦେଶିନୀ ସାହୁ, ସନ୍ତୋଷିନୀ ବିଶ୍ୱାଳ ଓ କବିତା ବାଗଙ୍କୁ ନେଇ ମୋଟ ୯ ଜଣଙ୍କୁ ପ୍ରସ୍ତାବ ଓ ସମର୍ଥନକ୍ରମେ ସର୍ବସମ୍ମତିରେ ଚୟନ କରାଯାଇଛି।
ସମ୍ମିଳନୀରେ ମୁଖ୍ୟ ଅତିଥି ତୀର୍ଥ ପ୍ରଧାନ ବ୍ଲକରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କୁ ଏକତ୍ରିତ ହୋଇ ନିଜର ସର୍ବନିମ୍ନ ହକ୍ ଓ ଅଧିକାର ହାସଲ ପାଇଁ ତୃଣମୂଳ ସ୍ତରରୁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।
ଏଥିସହ ବକେୟା ରହିଥିବା ସମସ୍ତ ଆଶା କର୍ମୀଙ୍କ ପ୍ରୋତ୍ସାହନ ରାଶି ଶୀଘ୍ର ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଭା ମାଧ୍ୟମରେ ଅନୁରୋଧ କରାଯାଇଥିଲା। ପୂର୍ବପରି ପାଉଣା ପ୍ରଦାନରେ ଅନିୟମିତତା କିମ୍ବା ବିଳମ୍ବ ଜାରି ରହିଲେ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।
ସମ୍ମାନିତ ଅତିଥି ସାଏବୁ ନନ୍ଦ ଆଶା କର୍ମୀମାନଙ୍କୁ ଏଆଇଟିୟୁସି ପତାକା ତଳେ ଏକତ୍ରିତ ହୋଇ ନିଜର ଦାବି ହାସଲ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଧର୍ମଘଟ ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ।
ସମ୍ମିଳନୀରେ ଦେବକୀ ରଣା, ଭୂମିସୁତା ନାଗ, ଅରୁନ୍ଧତୀ ବାଗ, ମାଳା ଜାଲ, କଳ୍ପନା ମେହେର, ପଦ୍ମିନୀ ପୁଟେଲ, ବାସନ୍ତୀ ମିର୍ଦ୍ଧା, ଚମ୍ପାବତୀ ଦିଣ୍ଡା, ସାବିତ୍ରୀ ଠାକୁର, ମାଧବୀ ହାତୀ, ସରୋଜିନୀ ଭୋଇ, ଭୂମିସୁତା ଭୁଏ, ଆରୋହୀ ପାଣ୍ଡେ, ସୁଶୀଳା, ସତ୍ୟଭାମା ଷାଣ୍ଢ, ଭାଗ୍ୟବତୀ କୋଠରିଆ, କୁମୁଦିନୀ କୁମୁରା, ପୁଷ୍ପଲତା ମହାକୁର, ବୀଣାପାଣି ପୁରୋହିତ, ରୋହିଣୀ ସାହୁଙ୍କ ସମେତ ବହୁ ଆଶା କର୍ମୀ ଯୋଗଦେଇଥିଲେ।
ଏହି ଅବସରରେ ଆଶା କର୍ମୀମାନେ ରାଜ୍ୟରେ ବର୍ତ୍ତମାନର ସରକାର କ୍ଷମତାସୀନ ହେବା ପରଠାରୁ ଠିକ୍ ସମୟରେ ଓ ସଠିକ୍ ପରିମାଣର ପ୍ରୋତ୍ସାହନ ରାଶି ପାଇପାରୁନଥିବା ନେଇ ଦୁଃଖ ପ୍ରକାଶ କରିଥିଲେ।
ଶେଷରେ ଉର୍ବଶୀ ମେହେର ଓ ବିଦେଶିନୀ ସାହୁ ଅତିଥି, ନୂତନ କର୍ମକର୍ତ୍ତା, ଉପସ୍ଥିତ ସମସ୍ତ ଆଶା କର୍ମୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।