NABASETULIVE

ଫୁଲେ ଦମ୍ପତିଙ୍କ ପ୍ରତିମୂର୍ତ୍ତି ଠାରେ ଗୁରୁଦିବସ ପାଳିତ

ନବସେତୁ ନ୍ୟୁଜ୍ – ବଲାଙ୍ଗୀର

ବଲାଙ୍ଗୀର, ୫ ସେପ୍ଟେମ୍ବର: ପବିତ୍ର ଗୁରୁଦିବସ ଅବସରରେ ଆଜି ବଲାଙ୍ଗୀର ସହରରେ ଏକ ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଛି। ବରିଷ୍ଠ ସମାଜସେବୀ ଓ ବୁଦ୍ଧିଜୀବୀଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ ଶ୍ରଦ୍ଧା ଓ ସମ୍ମାନର ସହ ଅନୁଷ୍ଠିତ ହୋଇଯାଇଛି।

ସହରରେ ଥିବା ମାତା ସାବିତ୍ରୀ ବାଇ ଫୁଲେ ଏବଂ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଫୁଲେ ଦମ୍ପତିଙ୍କୁ ପ୍ରକୃତ ଗୁରୁ ଭାବରେ ସମ୍ମାନିତ କରାଯାଇଥିଲା। ଯେଉଁ ସମୟରେ ସମାଜରେ ଶିକ୍ଷାର ଆଲୋକ ନ ଥିଲା, ନାରୀ ଓ ପଛୁଆ ବର୍ଗଙ୍କୁ ଶିକ୍ଷାରୁ ବଞ୍ଚିତ କରାଯାଉଥିଲା, ସେହି ଅନ୍ଧକାର ସମୟରେ ଫୁଲେ ଦମ୍ପତି ଶିକ୍ଷାର ଦୀପ ଜାଳିଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ରୀଯୁକ୍ତ ସତ୍ୟନାରାୟଣ ଭୋଇ ଫୁଲେ ଦମ୍ପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ ଯେ, ଫୁଲେ ଦମ୍ପତି ହେଉଛନ୍ତି ଆମ ସମସ୍ତଙ୍କର ଆଦର୍ଶ ଗୁରୁ। ତାଙ୍କ ବିନା ଆଜିର ଶିକ୍ଷା ବ୍ୟବସ୍ଥା ଅସମ୍ଭବ।

ଏହି ପାଳନ ଉତ୍ସବରେ ବରିଷ୍ଠ ସମାଜସେବୀ ଭୁବନ ନାଗ, ବୁଦ୍ଧିଜୀବୀ ଦଣ୍ଡୁଆ କୁମ୍ଭାର, ଲୋକନାଥ ସୁନା, ଜ୍ୟୋତିଷ ମୁଗ୍ରୀ, ସୀତାରାମ କୁମ୍ଭାର, ସୀମା ଗଡ଼ତ୍ୟା, ପ୍ରେମସିଲା ସାହୁ, ଅମ୍ବିକା କୁମ୍ଭାର, ସରୋଜ ମେଶ୍ୱା ସମେତ ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ବହୁ ସଦସ୍ୟା ଉପସ୍ଥିତ ଥିଲେ।

ଶେଷରେ ସମସ୍ତେ ଫୁଲେ ଦମ୍ପତିଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା, ସମାଜରେ ଶିକ୍ଷା, ସମାନତା ଓ ନାରୀ ସଶକ୍ତିକରଣର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିଲେ। ଗୁରୁମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Leave a Comment

Your email address will not be published. Required fields are marked *

Scroll to Top