NABASETULIVE

ଖଡ଼ିଆଳ ଭୋଜପୁର ଯାଦବ ଭବନରେ ପାଳିତ ହେଲା ବି.ପି. ମଣ୍ଡଳଙ୍କ ୧୦୮ ତମ ଜୟନ୍ତୀ

ନବସେତୁ ନ୍ୟୁଜ | ନୂଆପଡ଼ା

ଓବିସି ବର୍ଗର ତ୍ରାଣକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳି, ଜାତି ଜନଗଣନା ଓ ସାମାଜିକ ନ୍ୟାୟ ପାଇଁ ସଂକଳ୍ପ

ଖଡ଼ିଆଳ/ନୂଆପଡ଼ା, ୨୫ ଅଗଷ୍ଟ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ଯାଦବ ଭବନଠାରେ ଆଜି ଓବିସି ବର୍ଗର ତ୍ରାଣକର୍ତ୍ତା, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ମଣ୍ଡଳ କମିଶନ ଅଧ୍ୟକ୍ଷ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

ରାଜ୍ୟ ଓବିସି ମଞ୍ଚ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜୀବୀ, ଯୁବକ ଓ ସାମାଜିକ କର୍ମୀ ଯୋଗଦାନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ସଭାପତି ଶ୍ରୀ ଶଙ୍କର ପାତ୍ର ଯୋଗଦାନ କରି ମଣ୍ଡଳ ସାହେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ବି.ପି. ମଣ୍ଡଳ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଏକ ବିଚାରଧାରା। ସେ ୩୭୪୩ ପଛୁଆ ଜାତିକୁ ଚିହ୍ନଟ କରି ୫୨% ଓବିସିଙ୍କୁ ପରିଚୟ ଦେଇଥିଲେ। ଆଜି ଯଦି ଆମେ କଲେଜରେ ପଢୁଛୁ, ଚାକିରି କରୁଛୁ, ତାହା ମଣ୍ଡଳଙ୍କ ଦେନ। କିନ୍ତୁ ଏହି ଲଢେଇ ଅଧା ରହିଛି। ୨୦୨୭ ଜନଗଣନାରେ ଜାତି ଗଣନା ନ ହେଲେ ଆମେ ପୁଣି ପଛକୁ ଚାଲିଯିବା।”

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚର କୋଷାଧ୍ୟକ୍ଷ ଶ୍ରୀ ପ୍ରଦେଶୀ ବିଶ୍ୱାଲ, ପୂର୍ବତନ ବିଧାୟକ ଶ୍ରୀ ହିତେଶ କୁମାର ବଗର୍ତ୍ତୀ, ବରିଷ୍ଠ ସମାଜସେବୀ ଶ୍ରୀ ପ୍ରିୟ ରଞ୍ଜନ ମେହେର, ଶ୍ରୀ ଲମ୍ବୋଦର ନିଆଲ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ପଶ୍ଚିମ ଓଡ଼ିଶା ଓବିସି ମଞ୍ଚର ସଂଯୋଜକ ସରୋଜ କୁମାର ମେଶ୍ୱା ତଥା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଣ୍ଡଳ କମିଶନ ଲାଗୁ ହେବା ପରେ ଓବିସି ସମାଜରେ ଆସିଥିବା ପରିବର୍ତ୍ତନ ଓ ଏବେ ବି ରହିଥିବା ବୈଷମ୍ୟ ବିଷୟରେ ଆଲୋଚନା କରିଥିଲେ।

ଏହି ସଭାରେ ସର୍ବସମ୍ମତି କ୍ରମେ ୩ ଦଫା ପ୍ରସ୍ତାବ ପାରିତ ହୋଇଛି:
୧. ଜନଗଣନା-୨୦୨୭ ରେ ଓବିସିର ଜାତି-ଭିତ୍ତିକ ଗଣନା ପାଇଁ ମାନକୀକୃତ କୋଡ୍ ବ୍ୟବସ୍ଥା ଲାଗୁ କରାଯାଉ।
୨. ଓଡ଼ିଶାରେ ଓବିସିଙ୍କ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଓ ବଜେଟ୍ ବ୍ୟବସ୍ଥା କରାଯାଉ।
୩. ପ୍ରତି ଜିଲ୍ଲାରେ ମହାପୁରୁଷ ଜ୍ୟୋତିବା ଫୁଲେ, ସାହୁଜୀ ମହାରାଜ ଓ ବି.ପି. ମଣ୍ଡଳଙ୍କ ନାମରେ ଛାତ୍ରାବାସ ପ୍ରତିଷ୍ଠା କରାଯାଉ।

ଶେଷରେ ବି.ପି. ମଣ୍ଡଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ “ଜୟ ଫୁଲେ, ଜୟ ସାହୁ, ଜୟ ଭୀମ, ଜୟ ମଣ୍ଡଳ” ସ୍ଲୋଗାନ ସହ ସଭା ସମାପ୍ତ ହୋଇଥିଲା।

ରିପୋର୍ଟ: ନବସେତୁ ବ୍ୟୁରୋ, ଖଡ଼ିଆଳ | ଫଟୋ: ଯାଦବ ଭବନ, ଭୋଜପୁର

Leave a Comment

Your email address will not be published. Required fields are marked *

Scroll to Top