ନବସେତୁ ନ୍ୟୁଜ୍ | ଭୁବନେଶ୍ୱର
ଭୁବନେଶ୍ୱର, ୨୧/୦୯/୨୦୨୬: ଆଜି ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଛାତ୍ର ଶକ୍ତିର ହୁଙ୍କାର ଦେଖିବାକୁ ମିଳିଛି। ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା (BVM) ତରଫରୁ ଆଜି ଏକ ବିଶାଳ ରାଜ୍ୟସ୍ତରୀୟ ମହାରାଲି ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଛାତ୍ର-ଛାତ୍ରୀ ଆସି ଏହି ରାଲିରେ ସାମିଲ ହୋଇଥିଲେ।
ସକାଳୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ବାହାରି ରାଲିଟି ପିଏମଜି ଛକ ଦେଇ ଲୋୟର ପିଏମଜି ଅଭିମୁଖେ ଯାଇଥିଲା। ହାତରେ ନୀଳ ପତାକା, ପ୍ଲାକାର୍ଡ ଧରି ଛାତ୍ରମାନେ “ଜାତୀୟ ଶିକ୍ଷା ନୀତି ପ୍ରତ୍ୟାହାର କର, ବେକାର ଯୁବକଙ୍କୁ ନ୍ୟାୟ ଦିଅ” ଭଳି ସ୍ଲୋଗାନ ଦେଇ ରାଜଧାନୀ କମ୍ପାଇ ଦେଇଥିଲେ।
ଏହି ଅବସରରେ ମୋର୍ଚ୍ଚାର ରାଜ୍ୟ ନେତୃବୃନ୍ଦ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ୪ ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ କରିଛନ୍ତି।
ପ୍ରମୁଖ ଦାବି ଗୁଡିକ:
୧. NEP-2020 ପ୍ରତ୍ୟାହାର: ନୂଆ ଜାତୀୟ ଶିକ୍ଷା ନୀତି – ୨୦୨୦ ହେଉଛି ବହୁଜନ ବିରୋଧୀ ଓ ଶିକ୍ଷାର ବେସରକାରୀକରଣ ପାଇଁ ଉଦ୍ଦିଷ୍ଟ। ଏହା ଗରିବ, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଛାତ୍ରଙ୍କୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ କରିବ, ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ।
୨. ଖାଲି ପଦବୀ ପୂରଣ: ରାଜ୍ୟ ଓ କେନ୍ଦ୍ର ସରକାରୀ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡିଛି। ସେହି ଖାଲି ପଦବୀଗୁଡିକୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦ୍ୱାରା ପୂରଣ କରାଯାଉ।
୩. ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ: ମେଡିକାଲ, ଇଞ୍ଜିନିୟରିଂ, IIT, IIM ଭଳି ଉଚ୍ଚ ଶିକ୍ଷାନୁଷ୍ଠାନରେ OBC, SC, ST ବର୍ଗର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଏବଂ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯାଉ।
୪. ବ୍ୟାପକ ନିଯୁକ୍ତି ପ୍ରକ୍ରିୟା: ଦେଶରେ ବେରୋଜଗାରୀ ଚରମ ସୀମାରେ। ଯୁବ ବେରୋଜଗାର ଦୂର କରିବା ପାଇଁ ତୁରନ୍ତ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଉ ଏବଂ ପ୍ରତିବର୍ଷ ରୋଜଗାର କ୍ୟାଲେଣ୍ଡର ପ୍ରକାଶ କରାଯାଉ।
“ଏ ଲଢେଇ କେବଳ ଛାତ୍ରଙ୍କ ଲଢେଇ ନୁହେଁ, ଏହା ମୂଳନିବାସୀ ବହୁଜନ ସମାଜର ଭବିଷ୍ୟତର ଲଢେଇ। ସରକାର ଯଦି ଆମ ଦାବି ନ ଶୁଣେ, ତେବେ ଆଗାମୀ ଦିନରେ ଆମେ ରାଜ୍ୟବ୍ୟାପୀ ଚକ ଜାମ ଓ ଶିକ୍ଷାନୁଷ୍ଠାନ ବନ୍ଦ ଡାକରା ଦେବୁ,” ବୋଲି ମୋର୍ଚ୍ଚାର ଜଣେ ନେତା କହିଛନ୍ତି।
ଶେଷରେ ଶାନ୍ତିପୂର୍ଣ୍ଣ ଭାବେ ରାଲି ଶେଷ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
Thank you NABASETU