NABASETULIVE

ପାଠ୍ୟପୁସ୍ତକରେ ୧୬୭୮ ଭୁଲ୍: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର

ନବସେତୁ ନ୍ୟୁଜ, ବଲାଙ୍ଗୀର

ବଲାଙ୍ଗୀର – ଓଡ଼ିଶା ସରକାରୀ ସ୍କୁଲ୍‌ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ପ୍ରାୟ ୧,୬୭୮ଟି ଗୁରୁତର ତ୍ରୁଟି ଥିବା ଅଭିଯୋଗ କରି ଭାରତ ମୁକ୍ତି ମୋର୍ଚ୍ଚା, ଓଡ଼ିଶା ୟୁନିଟ୍ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଭାରତ ମୁକ୍ତି ମୋର୍ଚ୍ଚା ବଲାଙ୍ଗୀର ଜିଲ୍ଲା ସଭାପତି ସରୋଜ କୁମାର ମେଶ୍ଵାଙ୍କ ନେତୃତ୍ୱରେ ଆଜି ଏକ ଦାବିପତ୍ର ଜିଲ୍ଲାପାଳ ବଲାଙ୍ଗୀରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ଦାବିପତ୍ର ମୁଖ୍ୟ ବିଷୟ ଓ ଅଭିଯୋଗ
ଦାବିପତ୍ରେ କୁହାଯାଇଛି ଯେ ବର୍ତ୍ତମାନର ପାଠ୍ୟପୁସ୍ତକରେ ଥିବା ତ୍ରୁଟିଗୁଡ଼ିକ କେବଳ ମୁଦ୍ରଣ ବା ବନାନ୍ ଭୁଲ୍ ନୁହେଁ, ବରଂ ଇତିହାସ, ଭୂଗୋଳ, ବିଜ୍ଞାନ ଓ ସାଂସ୍କୃତିକ ତଥ୍ୟରେ ଥିବା ତଥ୍ୟଗତ ଭୁଲ୍। ଉଦାହରଣ ସ୍ୱରୂପ – ସାର୍ ଆଇଜାକ୍ ନ୍ୟୁଟନ୍‌ଙ୍କୁ ‘ମହାନ୍ ପାଇଲଟ୍’ ବୋଲି ଦର୍ଶାଯାଇଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପା ହୋଇଛି, ନୟାଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଦେଖାଯାଇଛି, ଏବଂ ହମ୍ପି ମନ୍ଦିର ସମୂହକୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଭାବେ ଭୁଲ୍ ଭାବେ ଚିହ୍ନଟ କରାଯାଇଛି।

ମୋର୍ଚ୍ଚା କହିଛି ଯେ ଏଭଳି ଭୁଲ୍ ଓଡ଼ିଶାର ପ୍ରକୃତ ଇତିହାସ, ସଂସ୍କୃତି ଓ ଐତିହ୍ୟକୁ ବିକୃତ କରୁଛି। ବିଶେଷକରି ମୂଳନିବାସୀ, ବହୁଜନ ସମାଜ ସହ ଜଡ଼ିତ ଏସ୍‌ସି, ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁ ସମୁଦାୟର ଅବଦାନ ଓ ସଂଘର୍ଷକୁ ଏହା ହାନି ପହଞ୍ଚାଉଛି। ଏହା ଆଦିବାସୀ ଓ ପଛୁଆ ସମୁଦାୟର ସାଂସ୍କୃତିକ ପରିଚୟ ଓ ଐତିହାସିକ ଚେତନାକୁ ଦୁର୍ବଳ କରିବାର ଏକ ସୁଚିନ୍ତିତ ଉଦ୍ୟମ ବୋଲି ଅଭିଯୋଗ କରାଯାଇଛି।

ଦାବିଗୁଡ଼ିକ:

  1. ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରି ସଂଶୋଧିତ, ସଠିକ୍ ଓ ସମାବେଶୀ ସଂସ୍କରଣ ବିତରଣ କରାଯାଉ।
  2. ଏହି ତ୍ରୁଟି ପାଇଁ ଦାୟୀ ସମ୍ପାଦକ, ଅଧିକାରୀ ଓ ପ୍ରକାଶନ ସଂସ୍ଥା ବିରୁଦ୍ଧରେ କଠୋର ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ।
  3. ଏସ୍‌ସି, ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁ ସମୁଦାୟର ପ୍ରତିନିଧିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରି ପାଠ୍ୟପୁସ୍ତକର ସମୀକ୍ଷା ଓ ସଂଶୋଧନ କରାଯାଉ।
  4. ଆଗାମୀ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାକୁ ସ୍ୱଚ୍ଛ, ବୈଜ୍ଞାନିକ ଭାବେ ସଠିକ୍ ଓଡ଼ିଶାର ବିବିଧ ସାମାଜିକ ଢାଞ୍ଚାକୁ ପ୍ରତିଫଳିତ କରୁଥିବା ଭଳି କରାଯାଉ।
  5. ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ପ୍ରତିକାରମୂଳକ ସହାୟତା ଦିଆଯାଉ।

ମୋର୍ଚ୍ଚା ଚେତାବନୀ ଦେଇଛି ଯେ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ସେମାନେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ଓ ଆଇନଗତ ପ୍ରତିକାର ପାଇଁ ବାଧ୍ୟ ହେବେ। ଏହି ଦାବିପତ୍ର ନକଲ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ, SCERT ନିର୍ଦ୍ଦେଶକ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ, ରାଜ୍ୟପାଳ ଓ NCERT, ନୂଆଦିଲ୍ଲୀକୁ ମଧ୍ୟ ପଠାଯାଇଛି।

1 thought on “ପାଠ୍ୟପୁସ୍ତକରେ ୧୬୭୮ ଭୁଲ୍: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର”

Leave a Comment

Your email address will not be published. Required fields are marked *

Scroll to Top