ନବସେତୁ ନ୍ୟୁଜ, ଭୁବନେଶ୍ୱର
ଭୁବନେଶ୍ୱର, ୨ ଜୁନ୍ – ଗତ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୧୧ଜଣ ବିଧାୟକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିଜେଡି ଓ କଂଗ୍ରେସ ପକ୍ଷରୁ ଦାଖଲ ହୋଇଥିବା ସେମାନଙ୍କ ସଭ୍ୟପଦ ରଦ୍ଦ ଆବେଦନକୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଖାରଜ କରି ଦେଇଛନ୍ତି।
ବାଚସ୍ପତି କହିଛନ୍ତି ଯେ ଆବେଦନରେ ଆବଶ୍ୟକ ତଥ୍ୟ, ପ୍ରମାଣ ଓ ସତ୍ୟପାଠର ଅଭାବ ଥିଲା। ବିଧାନସଭା ନିୟମ ୬ର ଉପନିୟମ ୬ ଓ ୭ ଅନୁଯାୟୀ ଆବଶ୍ୟକ ଦଲିଲ ଓ ପ୍ରମାଣ ଉପସ୍ଥାପନ ନ ହୋଇଥିବାରୁ ଆବେଦନକୁ ଅସମ୍ପୂର୍ଣ୍ଣ ବିବେଚନା କରି ଖାରଜ କରିଦିଆଯାଇଛି।
କିଏ କରିଥିଲେ କ୍ରସ୍ ଭୋଟିଂ?
ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ଜଣ ବିଧାୟକ – ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ନବକିଶୋର ମଲ୍ଲିକ, ସନାତନ ମହାକୁଡ଼, ଚକ୍ରଧର କଅଁର, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ – ଏବଂ କଂଗ୍ରେସର ୩ ଜଣ ବିଧାୟକ – ସୋଫିଆ ଫିରଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ।
ଏପ୍ରିଲ୍ ୨୭ରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ପକ୍ଷରୁ ଅଲଗା ଅଲଗା ଆବେଦନ ଦାଖଲ କରି ଏହି ୧ ଜଣଙ୍କ ସଭ୍ୟପଦ ରଦ୍ଦ ପାଇଁ ଦାବି କରାଯାଇଥିଲା। ସେମାନେ ଦଳୀୟ ହ୍ୱିପ୍ ନ ମାନି ସ୍ୱେଚ୍ଛାକୃତ ଭାବେ ଦଳ ବିରୋଧରେ ଯାଇଥିବାରୁ ସମ୍ବିଧାନର ୧୦ମ ଅନୁଚ୍ଛେଦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।
ବାଚସ୍ପତିଙ୍କ ରାୟ
ପ୍ରାୟ ୨ ମାସ ପରେ ଆଜି ବାଚସ୍ପତି ରାୟ ଶୁଣାଇ କହିଛନ୍ତି ଯେ ଆବେଦନ ୧୯୮୭ ଦଳବଦଳ ନିୟମର ଧାରା ୬ ଓ ୭ର ବାଧ୍ୟତାମୂଳକ ସର୍ତ୍ତ ପୂରଣ କରୁନାହିଁ। ଆବେଦନ ଓ ଆନେକ୍ସଚର୍ରେ ଆବେଦନକାରୀଙ୍କ ସ୍ୱାକ୍ଷର ନଥିଲା, ଡିଜିଟାଲ୍ ପ୍ରମାଣରେ ମଧ୍ୟ ସ୍ୱାକ୍ଷର ଅଭାବ ଥିଲା ଏବଂ ଆବଶ୍ୟକ ଆଫିଡେଭିଟ୍ ଦାଖଲ ହୋଇନଥିଲା। ବାଚସ୍ପତି ଏହାକୁ ଅସ୍ପଷ୍ଟ, ଭ୍ରମାନ୍ତକ ଓ ଆଧାରହୀନ ବୋଲି କହି ଧାରା ୭(୨) ବଳରେ ମାମଲାକୁ ପ୍ରାରମ୍ଭିକ ସ୍ତରୁ ଖାରଜ କରି ଦେଇଛନ୍ତି।
ବିରୋଧୀଙ୍କ ପ୍ରତିକ୍ରିୟା
ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ସେ କୋର୍ଟକୁ ଯିବେ। ତାଙ୍କ କହିବା ଅନୁଯାୟୀ, ବାଚସ୍ପତି ଖାରଜ କରିବା ପୂର୍ବରୁ ଆବଶ୍ୟକ କାଗଜପତ୍ର ମାଗିଥିଲେ ଭଲ ହୋଇଥାନ୍ତା। କୋର୍ଟରେ ସମସ୍ତ ପ୍ରମାଣ ଦେବୁ।
ବିଜେଡି ମଧ୍ୟ ଏହି ନିଷ୍ପତ୍ତିକୁ ‘ଗଣତନ୍ତ୍ର ହତ୍ୟା’ ବୋଲି କହିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା ମଲ୍ଲିକ ଓ ଅରୁଣ ସାହୁ ଅଭିଯୋଗ କରିଛନ୍ତି ଯେ ବାଚସ୍ପତି ଦଳୀୟ ମନୋଭାବ ରଖି ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି, ଗୋଟିଏ ଦଳର ଟିକେଟରେ ଜିତି ଅନ୍ୟ ଦଳକୁ ଭୋଟ୍ ଦେବା ଦଳବିରୋଧୀ କାର୍ଯ୍ୟ ଏବଂ ଏହା ୫୨ତମ ସମ୍ବିଧାନ ସଂଶୋଧନ ଓ ୧୦ମ ପରିଚ୍ଛେଦର ସମ୍ପୂର୍ଣ୍ଣ ପରିପନ୍ଥୀ। ବିଜେଡି କହିଛି ଯେ ସେମାନେ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟରେ ଯାଇ ସମ୍ବିଧାନର ମର୍ଯ୍ୟାଦା ରକ୍ଷା ପାଇଁ ଲଢ଼େଇ କରିବେ।