ନବସେତୁ ନ୍ୟୁଜ, ଦୋହା
ଦୋହା, ୨୩ ଜୁନ୍ – କତର ଶିଳ୍ପ ସହର ରାସ୍ ଲାଫାନରେ ଥିବା ଏକ ଏଲ୍ଏନ୍ଜି ପ୍ଲାଣ୍ଟରେ ରବିବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ଭାରତୀୟ ନାଗରିକ ଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବାବେଳେ ୧୮ ଜଣ ନିଖୋଜ ଅଛନ୍ତି।
କତର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ରାସ୍ ଲାଫାନର ବାରଜାନ ସ୍ଥାନୀୟ ଗ୍ୟାସ ଯୋଗାଣ ପ୍ଲାଣ୍ଟରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏହି ବିସ୍ଫୋରଣ ଘଟିଛି। ଚଳିତ ବର୍ଷ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ବନ୍ଦ ଥିବା ପ୍ଲାଣ୍ଟକୁ ଶ୍ରମିକମାନେ ପୁନର୍ବାର ଚାଲୁ କରିବାକୁ ପ୍ରୟାସ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
କତର ଶକ୍ତିମନ୍ତ୍ରୀ କହିଛନ୍ତି ଯେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ୭୦ କିମି ଦୂର କେନ୍ଦ୍ରୀୟ ଦୋହା ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଶବ୍ଦରେ ଝରକାଗୁଡ଼ିକ ଦୋହଲି ଯାଇଥିଲା ଏବଂ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ହୋଇଥିଲା, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ଜରୁରିକାଳୀନ ଦଳ ନିୟୋଜିତ ହୋଇଥିଲେ। କତର ଏନର୍ଜି କହିଛି ଯେ ନିଆଁ ଏବେ ନିୟନ୍ତ୍ରଣରେ ଅଛି, କିନ୍ତୁ ପ୍ଲାଣ୍ଟର କ୍ଷୟକ୍ଷତିର ପୂର୍ଣ୍ଣ ଆକଳନ ହୋଇନାହିଁ।
ଦୋହାରେ ଥିବା ଭାରତୀୟ ଦୂତାବାସ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରି ‘ଏକ୍ସ’ରେ ପୋଷ୍ଟ କରିଛି। ଦୂତାବାସ କହିଛି, ଅନେକ ଭାରତୀୟ ଆହତ ଓ ନିଖୋଜ ଥିବା ଖବର ମିଳିଛି। ଏପରି ସମୟରେ ଦୋହାସ୍ଥିତ ଭାରତୀୟ ଦୂତାବାସ ଓ କତରେ ରହୁଥିବା ଭାରତୀୟମାନେ କତର ସରକାର ଓ ଲୋକଙ୍କ ସହ ଛିଡ଼ା ହୋଇଛନ୍ତି। ସହାୟତା ଓ ସୂଚନା ପାଇଁ ଦୂତାବାସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।
କତର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତକଙ୍କ ଜାତୀୟତା ସ୍ପଷ୍ଟ କରିନାହାନ୍ତି। ରାସ୍ ଲାଫାନ ହେଉଛି କତର ପ୍ରମୁଖ ଏଲ୍ଏନ୍ଜି ଉତ୍ପାଦନ ଓ ରପ୍ତାନି କେନ୍ଦ୍ର, ଯାହା ବିଶ୍ୱ ଗ୍ୟାସ ବଜାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।