ନବସେତୁ ନ୍ୟୁଜ, କେନ୍ଦୁଝର
କେନ୍ଦୁଝର/ତେଲକୋଇ, ୨୩ ଜୁନ୍ – ପରିବାର ମୁହଁରେ ହସ ଫୁଟାଇବା ପାଇଁ ଘର ଛାଡ଼ି ଜୀବିକା ସନ୍ଧାନରେ ତାମିଲନାଡୁ ଯାଇଥିବା କେନ୍ଦୁଝର ଜିଲ୍ଲାର ୫ ଜଣ ଜୁଆଙ୍ଗ ଯୁବତୀ ଆଉ ଫେରିଲେ ନାହିଁ। ତାମିଲନାଡୁର ତିରୁଭଲୁର ଜିଲ୍ଲା ପେରିୟାପାଲୟମ୍ ଅଞ୍ଚଳରେ ଥିବା ‘ସେଣ୍ଟ ପିଟର୍ସ ପର୍ଲ ସି-ଫୁଡ୍ ଏକ୍ସପୋର୍ଟସ’ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଛି।
ଶ୍ରମ ବିଭାଗ ସୂଚନା ଅନୁଯାୟୀ, ଗତକାଲି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଘଟଣାରେ ୭୦ରୁ ଅଧିକ ଶ୍ରମିକ ଗୁରୁତର ହୋଇଥିବାବେଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ଓ ତେଲକୋଇ ଅଞ୍ଚଳର ୫ ଜଣ ଯୁବତୀଙ୍କ ମୃତ୍ୟୁ ଖବର ସେମାନଙ୍କ ଗାଁକୁ ଶୋକରେ ବୁଡ଼ାଇ ଦେଇଛି।
ମୃତକଙ୍କ ପରିଚୟ
ମୃତକଙ୍କ ମଧ୍ୟରେ ଅଛନ୍ତି –
- ତେଲକୋଇ ଥାନା ତାଳପଦା ପଞ୍ଚାୟତ ରଙ୍ଗମାଟିଆ ଗାଁର ଗୁମଣୀ ଜୁଆଙ୍ଗ (୧୬), ପିତା ବୀର ଜୁଆଙ୍ଗ
- ଟାଙ୍ଗିରି ଦୁବନାଳୀ ଜୁଆଙ୍ଗସାହିର ଶିବାନୀ ଜୁଆଙ୍ଗ (୧୬), ପିତା ରବି ଜୁଆଙ୍ଗ
- ନିତ୍ୟା ଜୁଆଙ୍ଗଙ୍କ ଝିଅ ଗୀତା ଜୁଆଙ୍ଗ (୧୯)
- ବାଂଶପାଳ ବ୍ଲକ୍ ତଳଚମ୍ପେଇ ଗାଁର ଚମ୍ପାବତୀ ଜୁଆଙ୍ଗ, ପିତା ସୁଦର ଜୁଆଙ୍ଗ
- କୋଡ଼ିପଶା ଗାଁର ଫୁଲମଣି ଜୁଆଙ୍ଗ, ପିତା ଟଙ୍କଧର ଜୁଆଙ୍ଗ
କାରଖାନାରେ କେନ୍ଦୁଝର ଜିଲ୍ଲାର ଶତାଧିକ ଯୁବତୀ ଶ୍ରମିକ ଭାବେ କାମ କରୁଥିଲେ। ଗ୍ୟାସ୍ ଲିକ୍ ଘଟଣାରେ ରଙ୍ଗମାଟିଆ, ଟାଙ୍ଗିରି, ତଳଚମ୍ପେଇ, ରିମୁଳିଘାଟି ଓ ହରିଚନ୍ଦନପୁର ଅଞ୍ଚଳର ଅନେକ ଯୁବକଯୁବତୀ ଆହତ ହୋଇଛନ୍ତି।
ପରିବାରେ ଶୋକର ଛାୟା
ତଳଚମ୍ପେଇ ଗାଁର ଚମ୍ପାବତୀଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଝିଅର ଫେରିବା ବାଟକୁ ଅପେକ୍ଷା କରିଥିବା ବାପା ସୁଦର ଓ ମା’ ତୁରଙ୍ଗୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେହିପରି କୋଡ଼ିପଶା ଗାଁର ଫୁଲମଣି କିଛି ମାସ ତଳେ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ। ସେ ପରିବାରକୁ ଟଙ୍କା ପଠାଉଥିଲେ, କିନ୍ତୁ ଏବେ ସହାୟତା ବଦଳରେ ତାଙ୍କ ମୃତ୍ୟୁ ଖବର ଆସିଛି।
ସରକାରୀ ପଦକ୍ଷେପ
ଘଟଣା ପରେ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିବା ସହ ତାମିଲନାଡୁକୁ ଏକ ସ୍ୱତନ୍ତ୍ର ଟିମ୍ ପଠାଇଛନ୍ତି। ମୃତକଙ୍କ ଶବ ଆଣିବା ଓ ଆହତଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।