NABASETULIVE

ପଶ୍ଚିମ ଓଡ଼ିଶାକୁ ଛୁଇଁଲା ମୌସୁମୀ, ତାପମାତ୍ରାରେ ହ୍ରାସ

ନବସେତୁ ନ୍ୟୁଜ, ଭୁବନେଶ୍ୱର

ଭୁବନେଶ୍ୱର, ୨୩ ଜୁନ୍ – ଜୁନ୍ ଶେଷ ଆଡକୁ ଗତି କରୁଥିବା ବେଳେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରସର ରେଖା ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଛୁଇଁଛି। ଫଳରେ ଚଳିତ ବର୍ଷର ପ୍ରଥମ ମୌସୁମୀ ବର୍ଷା ପଶ୍ଚିମ ଓଡ଼ିଶାରେ ହୋଇଯାଇଛି।

ମୌସୁମୀ ପ୍ରଭାବରେ ପଶ୍ଚିମ ଓଡ଼ିଶା ସହ ସାରା ରାଜ୍ୟର ପାରଦ ଆଜି ୩୮ ଡିଗ୍ରି ତଳକୁ ଖସିଛି। ଗତ କିଛି ଦିନ ଧରି ୪୦ ଡିଗ୍ରି ଉପରେ ରହିଥିବା ତାପମାତ୍ରା ହ୍ରାସ ପାଇ ଗ୍ରୀଷ୍ମର ଜ୍ୱାଳାରୁ ଲୋକେ ଆଶ୍ୱସ୍ତି ପାଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ଯେ ଗତକାଲିଠାରୁ ବଙ୍ଗୋପସାଗରେ ବାଦଲ ଆଚ୍ଛାଦିତ ହୋଇ ରହିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀଜନିତ ବର୍ଷା ହୋଇଛି।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇଯିବ। ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Comment

Your email address will not be published. Required fields are marked *

Scroll to Top