ନବସେତୁ ନ୍ୟୁଜ | କେସିଙ୍ଗା ଗୁରୁବାର, ୨ ଜୁଲାଇ, ୨୦୨୬
କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ କୁର୍ଲପଡ଼ା ଗ୍ରାମର କଲେକ୍ଟରପଡ଼ାରେ ୨୨ ବର୍ଷ ହେଲା ବାସ କରୁଥିବା ୩୨ଟି ଗରିବ ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ପରିଚୟ ମିଳିନାହିଁ। ଅଞ୍ଚଳ ଇଡ୍କୋ ଅଧୀନକୁ ଯିବା ପରେ ଉଚ୍ଛେଦ ଆଶଙ୍କାରେ ଦିନ କାଟୁଥିବା ଏହି ପରିବାରଙ୍କ ଅଭିଯୋଗ ପରେ ପ୍ରଶାସନିକ ଅଧିକାରୀମାନେ ବୁଧବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କାହିଁକି ଏପରି ଅବସ୍ଥା?
ପ୍ରାୟ ୨୨ ବର୍ଷ ପୂର୍ବେ କେସିଙ୍ଗା ରେଳ ଷ୍ଟେଶନ ନିକଟ କୁଡ଼ାପଡ଼ା ଅଞ୍ଚଳରୁ ଏହି ପରିବାରଗୁଡ଼ିକୁ ସେତେବେଳର ଜିଲାପାଳ ସ୍ଥାନାନ୍ତର କରି କୁର୍ଲ୍ଲପଡ଼ା ନିକଟ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଥଇଥାନ କରିଥିଲେ। ସେହିଦିନଠାରୁ ସ୍ଥାନଟି “କଲେକ୍ଟରପଡ଼ା” ନାମରେ ପରିଚିତ। କିନ୍ତୁ ୨ ବର୍ଷ ପରେ ବି ଏମାନଙ୍କୁ ଜମି ପଟ୍ଟା, ରାସନ କାର୍ଡ, ଆଧାର କିମ୍ବା ଭୋଟର ପରିଚୟପତ୍ର ମିଳିନାହିଁ। ପାନୀୟଜଳ, ବିଦ୍ୟୁତ୍ ଓ ଆବାସ ଯୋଜନାର ସୁବିଧାରୁ ବି ବଞ୍ଚିତ।
ଉଚ୍ଛେଦ ଭୟ
ବର୍ତମାନ ଉକ୍ତ ଅଞ୍ଚଳ ଇଡ୍କୋ ଅଧୀନକୁ ଚାଲିଯାଇଥିବାରୁ ପରିବାରଗୁଡ଼ିକୁ ସ୍ଥାନ ଖାଲି କରିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। ଦିନମଜୁରି କରି ପରିବାର ଚଳାଉଥିବା ଏହି ଲୋକମାନେ ଏବେ ଉଚ୍ଛେଦ ଭୟରେ ଦିନ କାଟୁଛନ୍ତି। କିଛିଦିନ ପୂର୍ବେ ଜିଲାପାଳ ଓ ସ୍ଥାନୀୟ ସାଂସଦଙ୍କୁ ଭେଟି ସେମାନେ ପରିଚୟପତ୍ର, ପାନୀୟଜଳ, ବିଦ୍ୟୁତ୍ ଓ ଘର ଯୋଗାଇଦେବାକୁ ଦାବି କରିଥିଲେ।
ପ୍ରଶାସନର ତତ୍ପରତା
ଜିଲାପାଳଙ୍କ ନିର୍ଦେଶ ପରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ୱାଇଁ ଓ କସୃପଡ଼ା ରାଜସ୍ୱ ନିରୀକ୍ଷକ ସୁରେଶ ବିଶ୍ୱାଳଙ୍କୁ ନେଇ ଗଠିତ ତଦନ୍ତକାରୀ ଟିମ୍ ବୁଧବାର କଲେକ୍ଟରପଡ଼ାରେ ପହଞ୍ଚିଥିଲା। ଅଧିକାରୀମାନେ ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ, ପାନୀୟଜଳ ଓ ବିଦ୍ୟୁତ୍ ସଂଯୋଗ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।
ପଡ଼ାବାସୀଙ୍କ ପ୍ରଶ୍ନ
“କଲେକ୍ଟର ଆମକୁ ଏଠି ବସାଇଲେ, ଆଉ ଆଜି ଆମେ ବେଆଇନ? ୨ ବର୍ଷ ହେଲା ଆମେ ଏଠି ଅଛୁ, ପିଲାମାନେ ଏଠି ଜନ୍ମ ହେଲେ, କିନ୍ତୁ ଆମ ନାଁ କୌଣସି ସରକାରୀ ଖାତାରେ ନାହିଁ,” ବୋଲି କହି କାନ୍ଦି ପକାଇଲେ ଜଣେ ମହିଳା।
୨୨ ବର୍ଷର ଅପେକ୍ଷା ପରେ ପ୍ରଶାସନ ତତ୍ପର ହୋଇଥିଲେ ବି ଏହି ୩୨ ପରିବାରକୁ ପ୍ରକୃତ ନ୍ୟାୟ ମିଳିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର।
ଫଟୋ: କଲେକ୍ଟରପଡ଼ାରେ ତଦନ୍ତକାରୀ ଅଧିକାରୀ ଟିମ୍
ଧନ୍ୟବାଦ ନବସେତୁ ନ୍ଯୁଜ