ନବସେତୁ ନ୍ୟୁଜ | ସମ୍ପାଦକୀୟଶୁକ୍ରବାର, ୩ ଜୁଲାଇ, ୨୦୨୬
ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ। ସେହି ଲକ୍ଷ୍ୟରେ ୨୦୫ ମସିହାରେ ଲାଗୁ ହୋଇଥିଲା ସୂଚନା ଅଧିକାର ଆଇନ। ଏହି ଆଇନ ସାଧାରଣ ନାଗରିକୁ ଶାସନ ବ୍ୟବସ୍ଥାର ଅନ୍ଧାରି କୋଠରୀ ଭିତରକୁ ଆଲୋକ ଫିଙ୍ଗିବାର ଅଧିକାର ଦେଇଥିଲା। କିନ୍ତୁ ଆଜି ଡିଜିଟାଲ ଇଣ୍ଡିଆ ଓ ‘ବିକଶିତ ଭାରତ-୨୦୪୭’ର ଡେଙ୍ଗୁରା ପିଟୁଥିବା ସମୟରେ ଓଡ଼ିଶାରେ ଏହି ଆଇନ ନିଜେ ଏକ ବିଡ଼ମ୍ବନାରେ ପରିଣତ ହୋଇଛି।
ପୋର୍ଟାଲ ଅଛି, ସ୍ୱଚ୍ଛତା ନାହିଁ
କେନ୍ଦ୍ର ସରକାରଙ୍କ ଆରଟିଆଇ ଅନଲାଇନ୍ ପୋର୍ଟାଲ ତୁଳନାରେ ଓଡ଼ିଶା ସରକାରଙ୍କ ପୋର୍ଟାଲର ସ୍ଥିତି ଅତ୍ୟନ୍ତ ନିରାଶଜନକ। ଜଣେ ଆବେଦନକାରୀ ଆବେଦନ କରିବା ପରେ ତାହାର ସ୍ଥିତି ଜାଣିବାକୁ ଚାହିଁଲେ ଓଡ଼ିଶା ପୋର୍ଟାଲରେ କେବଳ ‘ପ୍ରକ୍ରିୟାଧୀନ’ ଲେଖା ଦେଖାଏ। ଆବେଦନଟି କେଉଁ ଅଧିକାରୀଙ୍କ ନିକଟରେ ଅଛି, ତାଙ୍କର ନାମ, ପଦବୀ, ଫୋନ୍ ନମ୍ବର କିଛି ବି ମିଳେନାହିଁ। ଅପରପକ୍ଷରେ କେନ୍ଦ୍ରୀୟ ପୋର୍ଟାଲରେ ଆବେଦନ ଯେଉଁ ଅଧିକାରୀଙ୍କ ପାଖରେ ଅଛି, ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ସ୍ପଷ୍ଟ ଭାବେ ଦିଶେ। ଫଳରେ ଆବେଦନକାରୀ ସମ୍ପୂର୍ଣ ଅନ୍ଧାରରେ ରହୁଛନ୍ତି। ଏହା କେବଳ ଅସୁବିଧା ନୁହେଁ, ବରଂ ଆଇନର ମୂଳ ଉଦ୍ଦେଶ୍ୟକୁ ହତ୍ୟା କରିବା ସହ ସମାନ।
ସୂଚନା କମିସନ: ଦାନ୍ତବିହୀନ ବାଘ
ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ରାଜ୍ୟ ସୂଚନା କମିସନ ଉପରେ ନ୍ୟସ୍ତ। କିନ୍ତୁ ଓଡ଼ିଶା ସୂଚନା କମିସନର ଭୂମିକା ଆଜି ପ୍ରଶ୍ନବାଚୀ ହୋଇପଡ଼ିଛି। ଆଇନର ଧାରା ୨୦(୧) ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସୂଚନା ନ ଦେଲେ କିମ୍ବା ଭୁଲ୍ ସୂଚନା ଦେଲେ ଜନ ସୂଚନା ଅଧିକାରୀଙ୍କ ଉପରେ ଦୈନିକ ୨୫୦ ଟଙ୍କା ହିସାବରେ ଜରିମାନା ଲାଗୁ କରିବାର କ୍ଷମତା କମିସନଙ୍କର ଅଛି। ମାତ୍ର ଓଡ଼ିଶା ସୂଚନା କମିସନ ପ୍ରାୟ କୌଣସି ମାମଲାରେ ଏହି ଧାରା ପ୍ରୟୋଗ କରୁନାହାନ୍ତି। ଦୋଷୀ ଅଧିକାରୀଙ୍କୁ ଅରଣ୍ୟଦାନ ଦେଇ ଛାଡ଼ି ଦିଆଯାଉଛି।
କେବଳ ସେତିକି ନୁହେଁ, ଅପିଲ୍ ମାମଲାଗୁଡ଼ିକୁ ଗୋଟିଏ ଦିନର ଶୁଣାଣିରେ ଶେଷ କରିଦେବାର ପ୍ରବୃତ୍ତି ବଢ଼ିଛି। ସୂଚନା ମିଳିଲା କି ନାହିଁ, ମିଳିଥିବା ସୂଚନା ସମ୍ପୂର୍ଣ୍ଣ କି ନାହିଁ, ସେକଥା ଯାଞ୍ଚ ନକରି ମାମଲା ବନ୍ଦ କରିଦିଆଯାଉଛି। ଫଳରେ ସରକାରୀ ବାବୁମାନଙ୍କ ମନରେ କମିସନଙ୍କ ପ୍ରତି କୌଣସି ଭୟ କିମ୍ବା ସମ୍ମାନ ନାହିଁ। ସେମାନେ ଭାବୁଛନ୍ତି ସୂଚନା ନ ଦେବା ସେମାନଙ୍କର ଅଧିକାର।
ପ୍ରଶାସନିକ ସେବାରେ ବିଶ୍ୱାସର ସଙ୍କଟ
ଆଜି ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀ ଚାକିରି ଛାଡ଼ିବାର ଅବ୍ୟବହିତ ପରେ ବଡ଼ ରାଜନୈତିକ ପଦବୀ ଆକାଂକ୍ଷା କରୁଛନ୍ତି। ଯେଉଁ ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାୟିତ୍ୱରେ ଥିଲେ, ଆଜି ସେହି ଆଇନକୁ ଅଣଦେଖା କରି କ୍ଷମତାର ଅହଂକାର ଭିତରେ ଓଡ଼ିଶାର ଜିଲ୍ଲା ଓ ମଫସଲ ଅଞ୍ଚଳ ବିସ୍ମୃତ ହେବାକୁ ବସିଛି। ଏହା ଜନମାନସରେ ପ୍ରଶାସନିକ ସେବା ପ୍ରତି ବିଶ୍ୱାସ ଭାଙ୍ଗି ଦେଉଛି।
ସମାଧାନର ବାଟ କ’ଣ?
୧. ପୋର୍ଟାଲର ଆଧୁନିକୀକରଣ: କେନ୍ଦ୍ରୀୟ ପୋର୍ଟାଲ ଢାଞ୍ଚାରେ ଓଡ଼ିଶା ଆରଟିଆଇ ପୋର୍ଟାଲକୁ ତୁରନ୍ତ ଅପଗ୍ରେଡ୍ କରାଯାଉ। ଆବେଦନର ପ୍ରତ୍ୟେକ ଗତିବିଧି ରିୟଲ-ଟାଇମ୍ ଟ୍ରାକିଂ ହେବା ଦରକାର।
୨. କମିସନଙ୍କ ସକ୍ରିୟତା: ଧାରା ୨୦(୧) ଓ ୨୦(୨)କୁ କଡ଼ାକଡ଼ି ଭାବେ ଲାଗୁ କରି ଦୋଷୀ ଅଧିକାରୀଙ୍କ ଉପରେ ଜରିମାନା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଉ।
୩. ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ: ସୂଚନା ପ୍ରଦାନ କରାଯାଇଛି କି ନାହିଁ ତାହା ଆବେଦନକାରୀଙ୍କଠାରୁ ନିଶ୍ଚିତ ନକରି ମାମଲା ବନ୍ଦ କରାନଯାଉ।
୪. ସଚେତନତା: ଏମଜିଏନଆରଇଜିଏସ୍ର ନାମ ପରିବର୍ତନ କରି ‘ବିକଶିତ ଆଜୀବିକା ମିଶନ’ କରିବା ଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ। ସେହିପରି ସୂଚନା ଅଧିକାର ଭଳି ମୌଳିକ ଅଧିକାରକୁ ମଧ୍ୟ ସଶକ୍ତ କରିବାକୁ ପଡ଼ିବ।
‘ବିକଶିତ ଭାରତ-୨୦୪୭’ର ସ୍ୱପ୍ନ କେବଳ ରୋଜଗାର ଓ ଭିତ୍ତିଭୂମିରେ ନୁହେଁ, ସ୍ୱଚ୍ଛ ଓ ଉତ୍ତରଦାୟୀ ଶାସନ ବ୍ୟବସ୍ଥାରେ ହିଁ ସାକାର ହେବ। ଏଥିପାଇଁ ସୂଚନା ଅଧିକାର ଆଇନକୁ ଦାନ୍ତବିହୀନ ନ କରି ସୁଦୃଢ଼ କରିବା ଆଜିର ସବୁଠାରୁ ବଡ଼ ଆବଶ୍ୟକତା। ନଚେତ୍ ଏହି ଆଇନ କେବଳ କାଗଜପତ୍ରରେ ସୀମିତ ହୋଇ ରହିଯିବ ଏବଂ ସାଧାରଣ ଲୋକଙ୍କ ଆସ୍ଥା ଶାସନ ବ୍ୟବସ୍ଥା ଉପରୁ ସମ୍ପୂର୍ଣ ଉଠିଯିବ।