NABASETULIVE

ନବୀନ-ପାଣ୍ଡିଆନ୍‌ଙ୍କୁ କୋର୍ଟ ନୋଟିସ୍ହେଲିକପ୍ଟର ଖର୍ଚ୍ଚ ମାମଲା: ଜୁଲାଇ ୧୫ ସୁଦ୍ଧା ଜବାବ ଦାଖଲ ନିର୍ଦେଶ

ନବସେତୁ ନ୍ୟୁଜ | ଭୁବନେଶ୍ୱରଗୁରୁବାର, ୩ ଜୁଲାଇ, ୨୦୨୬

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ପାଇଁ ଆଇନଗତ ଅଡ଼ୁଆ ବଢ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ଶ୍ରୀ ପାଣ୍ଡିଆନ୍‌ଙ୍କ ବାରମ୍ବାର ହେଲିକପ୍ଟର ଗସ୍ତ ଓ ସେ ବାବଦରେ ହୋଇଥିବା ଖର୍ଚ୍ଚକୁ ନେଇ ଦାଏର ହୋଇଥିବା ରିଭିଜନ୍ ପିଟିସନ୍‌କୁ ଖୋର୍ଦ୍ଧା ଜିଲା ଦୌରା ଜଜ୍ ଗ୍ରହଣ କରିଛନ୍ତି।

ଅଦାଲତ ଉଭୟ ନବୀନ ଓ ପାଣ୍ଡିଆନ୍‌ଙ୍କୁ ନୋଟିସ୍ ଜାରି କରିବା ସହ ଆସନ୍ତା ୧୫ ଜୁଲାଇ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।

ମାମଲାର ପୃଷ୍ଠଭୂମି
ଆଇନଜୀବୀ ସୁଧୀର ଚରଣ ମହାନ୍ତି ୨୦୨୪ ଅଗଷ୍ଟ ୧୪ ତାରିଖରେ କ୍ୟାପିଟାଲ ଥାନାରେ ନବୀନ ଓ ପାଣ୍ଡିଆନ୍‌ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ରଖିଥିଲେ ମଧ୍ୟ ମାମଲା ରୁଜୁ କରିନଥିଲା।

ପରେ ସେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ମାମଲା ଚଳାଇବା ପାଇଁ ରାଜ୍ୟପାଳଙ୍କଠାରୁ ‘ପ୍ରସିକ୍ୟୁସନ୍ ସାଙ୍କସନ୍’ ଜରୁରୀ ବୋଲି କହିଥିଲେ। ଆବେଦନକାରୀ ଯଥାସମୟରେ ଅନୁମତି ଆଣିପାରିନଥିବାରୁ ଏସ୍‌ଡିଜେଏମ୍ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ।

ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବରିଷ୍ଠ ଓକିଲ ମନୋଜ ନାୟକଙ୍କ ମାଧ୍ୟମରେ ଶ୍ରୀ ମହାନ୍ତି ଜିଲା ଦୌରା ଜଜ୍‌ଙ୍କ ନିକଟରେ ରିଭିଜନ୍ ପିଟିସନ୍ ଦାଖଲ କରିଥିଲେ। କୋର୍ଟ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।

ରାଜ୍ୟପାଳଙ୍କ ନିକଟରେ ଆବେଦନ
ମାମଲା ଚଳାଇବା ପାଇଁ ଅନୁମତି ମାଗି ଶ୍ରୀ ମହାନ୍ତି ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଇନ ବିଭାଗର ମତାମତ ଲୋଡ଼ିଥିଲା। ଆଇନ ବିଭାଗ କହିଥିଲା ଯେ ଆବେଦନକାରୀ ପର୍ଯ୍ୟାପ୍ତ ପ୍ରମାଣ ଦେଇନଥିବାରୁ ନବୀନଙ୍କ ବିରୁଦ୍ଧରେ ପ୍ରସିକ୍ୟୁସନ୍ ସାଙ୍କସନ୍ ଦେବା ଉଚିତ ନୁହେଁ।

ବର୍ତମାନ ଜିଲା ଦୌରା ଜଜ୍ ରିଭିଜନ୍ ପିଟିସନ୍ ଗ୍ରହଣ କରିବା ପରେ ମାମଲା ପୁଣି ଆଲୋଚନାକୁ ଆସିଛି। ଆସନ୍ତା ୧୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

1 thought on “ନବୀନ-ପାଣ୍ଡିଆନ୍‌ଙ୍କୁ କୋର୍ଟ ନୋଟିସ୍ହେଲିକପ୍ଟର ଖର୍ଚ୍ଚ ମାମଲା: ଜୁଲାଇ ୧୫ ସୁଦ୍ଧା ଜବାବ ଦାଖଲ ନିର୍ଦେଶ”

Leave a Comment

Your email address will not be published. Required fields are marked *

Scroll to Top