NABASETULIVE

ଘୁସୁରମୁଣ୍ଡା ଅଙ୍ଗନବାଡି କେନ୍ଦ୍ରେ ସ୍ଥାୟୀ ଶାନ୍ତି ଦାବି କଲା M.B.M.Mଜାତିଗତ ବିଦ୍ୱେଷ ଓ ଭ୍ରାନ୍ତ ଖବର ଉପରେ କଟକଣା ପାଇଁ ଜିଲ୍ଲାପାଳଙ୍କ ନିକଟରେ ସ୍ମାରକପତ୍ର

ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୬.୦୭.୨୦୨୬

ମୁରିବାହଲ ବ୍ଲକ ଅନ୍ତର୍ଗତ ଘୁସୁରମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ବିବାଦ ଓ ଅଶାନ୍ତିକୁ ନେଇ ମୂଳନିବାସୀ ବହୁଜନ ମିଳିତ ମହାସଂଘ (M.B.M.M), ବଲାଙ୍ଗିର ଜିଲ୍ଲା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ନିକଟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଂଗଠନର ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ମେଶ୍ୱାଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ସ୍ମାରକପତ୍ରେ କୁହାଯାଇଛି ଯେ, ସରକାରୀ ନିୟମ ଅନୁଯାୟୀ ଯୋଗ୍ୟତା ଆଧାରେ ଶ୍ରୀମତୀ ପୁଣ୍ୟ ହରିପାଲ, ସ୍ୱାମୀ- ଦୁଳେଶ୍ୱର ମହାନ୍ଦଙ୍କୁ ସହାୟିକା ଭାବେ ଚୟନ କରାଯାଇଥିଲା। କିନ୍ତୁ କିଛି ସ୍ୱାର୍ଥାନ୍ୱେଷୀ ଗୋଷ୍ଠୀ ଇଚ୍ଛାକୃତ ଭାବେ ଏହି ପ୍ରକ୍ରିୟାକୁ ବିବାଦୀୟ କରି ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଫଳରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ବ୍ୟାହତ ହେବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ସ୍ମାରକପତ୍ରେ ଆହୁରି ଅଭିଯୋଗ କରାଯାଇଛି ଯେ, ରାଜ୍ୟର କିଛି ଗଣମାଧ୍ୟମ ଅଧାସତ୍ୟ ଓ ଚାଞ୍ଚଲ୍ୟକର ଖବର ପ୍ରସାର କରି ଏହି ସ୍ଥାନୀୟ ବିବାଦକୁ ଆହୁରି ଉସ୍କାଇ ଦେଉଛନ୍ତି। ଏହା ସମାଜରେ ବିଭେଦ ଓ ସାମ୍ପ୍ରଦାୟିକ ବିଦ୍ୱେଷ ବଢାଇବାରେ ସହାୟକ ହେଉଛି।

M.B.M.M ର ୩ଟି ମୁଖ୍ୟ ଦାବି:

  1. ସ୍ଥାୟୀ ଶାନ୍ତି ପ୍ରତିଷ୍ଠା: ଘୁସୁରମୁଣ୍ଡା ଅଙ୍ଗନବାଡି କେନ୍ଦ୍ର ଓ ତା’ର ଆଖପାଖ ଅଞ୍ଚଳରେ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ କରି ଆଇନ ଶୃଙ୍ଖଳା ବିଗାଡୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
  2. ସାମାଜିକ ସଦ୍ଭାବ ପାଇଁ ସମନ୍ୱୟ କମିଟି ଗଠନ: ପ୍ରଶାସନ, ସିଭିଲ ସୋସାଇଟି, ସାମାଜିକ ସଂଗଠନ ଓ ସମ୍ପ୍ରଦାୟର ନେତାଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଉ। ଯାହା ଜାତିଗତ ବିଭେଦ ଓ ସାମାଜିକ ଅନ୍ୟାୟକୁ ରୋକିବ।
  3. ଦାୟିତ୍ୱହୀନ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ: ନିଯୁକ୍ତି ଓ ସାମାଜିକ ପ୍ରସଙ୍ଗରେ ବିବାଦ ସୃଷ୍ଟି କରୁଥିବା ଗଣମାଧ୍ୟମ ଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଜିଲ୍ଲାସ୍ତରେ ତଥ୍ୟଭିତ୍ତିକ ଓ ଦାୟିତ୍ୱଶୀଳ ରିପୋର୍ଟିଂ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଉ।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ୟାର ସମୟୋଚିତ ସମାଧାନ ନହେଲେ ଜିଲ୍ଲାର ଦୀର୍ଘଦିନର ଶାନ୍ତି ଓ ଭାଇଚାରା ବିଗିଡିପାରେ। ତେଣୁ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ସମାଜରେ ସାମାଜିକ ନ୍ୟାୟ ଓ ସଦ୍ଭାବ ବଜାୟ ରଖିବାକୁ ସେମାନେ ଅନୁରୋଧ କରିଛନ୍ତି।


ରିପୋର୍ଟ: ନବସେତୁ ବ୍ୟୁରୋ, ବଲାଙ୍ଗିର

Leave a Comment

Your email address will not be published. Required fields are marked *

Scroll to Top