ନବସେତୁ ନ୍ୟୁଜ, ପାଟଣାଗଡ଼
ପାଟଣାଗଡ଼, ୨୦ ଜୁନ୍ – ପାଟଣାଗଡ଼ ବ୍ରହ୍ମପୁରା ୱାର୍ଡ ନମ୍ବର ୮ରେ ଏକ ବାହାଘର ଉତ୍ସବରେ ବାଜୁଥିବା ଡିଜେର ବିକଟାଳ ଶବ୍ଦ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଆଜି ସକାଳେ ମୃତା ମହିଳା ଲୋଚନା ବାହୁକଙ୍କ ପରିବାର, ଆତ୍ମୀୟସ୍ୱଜନ ଓ ପଡ଼ୋଶୀ ୩ ଦଫା ଦାବି ନେଇ ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ବ୍ରହ୍ମପୁରାରେ ଏକ ବାହାଘର ଚାଲିଥିବା ବେଳେ ଅତି ଉଚ୍ଚ ଶବ୍ଦରେ ଡିଜେ ବାଜୁଥିଲା। ଛୋଟ ଚା’ ଦୋକାନ କରି ପରିବାର ଚଳାଉଥିବା ଲୋଚନା ବାହୁକ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ଡିଜେର ଶବ୍ଦ କମାଇବାକୁ ଅନୁରୋଧ କରିଥିଲେ। ଅଭିଯୋଗ ଅନୁଯାୟୀ, ଡିଜେ ଚାଳକ ତାଙ୍କ କଥା ନଶୁଣି ଗାଡ଼ି ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ। ଏହାପରେ ଲୋଚନା ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ।
ପରିବାର ପକ୍ଷରୁ ତାଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଏବଂ ପରେ ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସା ପରେ ଡାକ୍ତର କିଛି ପରୀକ୍ଷା-ନିରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଆର୍ଥିକ ସଙ୍କଟ ଯୋଗୁଁ ପରିବାର ଲୋଚନାଙ୍କୁ ନେଇ ପାଟଣାଗଡ଼ ଫେରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଆଜି ସକାଳୁ ଶବ ସତ୍କାର ନକରି ପରିବାର ଓ ପଡ଼ୋଶୀ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ। ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ, ଡିଜେ ବନ୍ଦ କରିବା, ଡିଜେ ଗାଡ଼ି ଜବତ ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆନ୍ଦୋଳନକାରୀ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ପରେ ତହସିଲଦାର ରୁଦ୍ରମୋହନ ନାଏକ ଧାରଣାସ୍ଥଳରେ ପହଞ୍ଚି ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରେଡକ୍ରସ ପାଣ୍ଠିରୁ ମୃତାଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ପରେ ରାସ୍ତା ଅବରୋଧ ହଟିଥିଲା।
ଆଜି ସୁଦ୍ଧା ଏ ସମ୍ପର୍କରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।