NABASETULIVE

ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିବା ପରେ ରାସ୍ତାରୋକ, କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବି

ନବସେତୁ ନ୍ୟୁଜ, ବେଲପଡ଼ା/ମଣ୍ଡଳ

ବେଲପଡ଼ା: ବେଲପଡ଼ା ଥାନା ଅନ୍ତର୍ଗତ ବୁଦାମୁଣ୍ଡା ଗାଁର ଦାଦନ ଶ୍ରମିକ ଘନ ଧରୁଆଙ୍କ ମୃତଦେହ ଆଜି ଗାଁକୁ ଫେରିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଦାଦନ ସର୍ଦ୍ଦାର ଓ ଇଟାଭାଟି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀ ଶବ ରଖି ବଲାଙ୍ଗୀର-କଣ୍ଟାବାଞ୍ଜି ରାସ୍ତାର କପାଣି ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ।

ସୂଚନା ଅନୁସାରେ, ବୁଦାମୁଣ୍ଡା ଗାଁର ଘନ ଧରୁଆ ଜୀବିକା ଅନ୍ୱେଷଣରେ ଗତ ୬ ମାସ ତଳେ ତାମିଲନାଡୁର ତିରୁପତି ଅଞ୍ଚଳକୁ ଦାଦନ ସର୍ଦ୍ଦାର ଥବିର ଧରୁଆଙ୍କ ସହ ଯାଇଥିଲେ। ସେଠାରେ ଇଟାଭାଟି ମାଲିକ ଗୋପୀ କୁମାରଙ୍କ ପାଖରେ ସେ କାମ କରୁଥିଲେ। ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ, ବିନା ପାରିଶ୍ରମିକରେ କାମ କରାଉଥିବା ବେଳେ ପାରିଶ୍ରମିକ ମାଗିବାରୁ ଘନଙ୍କୁ ନିର୍ଯାତନା ଦିଆଯାଉଥିଲା।

ଗତ ୧୬ ତାରିଖରେ ଘନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ତାରିଖ ସନ୍ଧ୍ୟାରେ ଦାଦନ ସର୍ଦ୍ଦାର ଥବିର ତାଙ୍କ ବଡ଼ ଝିଅ ରେଖାକୁ ଫୋନ କରି ଏହି ଖବର ଦେଇଥିଲେ। ପରିବାର ଲୋକେ କିପରି ଏବଂ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କୁ ହତ୍ୟା କରି ଘଟଣା ଲୁଚାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ପରିବାର ପକ୍ଷରୁ ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି।

ଆଜି ମୃତଦେହ ଗାଁକୁ ପହଞ୍ଚିବା ପରେ ଗ୍ରାମବାସୀ ନ୍ୟାୟ ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ଦାଦନ ସର୍ଦ୍ଦାର ଥବିର ଧରୁଆଙ୍କୁ ଅଟକ ରଖାଯାଇଥିବା ସୂଚନା ଦେବା ପରେ ଆନ୍ଦୋଳନରୁ ଗ୍ରାମବାସୀ ଓହରିଥିଲେ। ପୁଲିସ ନିରପେକ୍ଷ ତଦନ୍ତ କରି ମୃତ୍ୟୁର କାରଣ ସ୍ପଷ୍ଟ କରିବା ସହ ଇଟାଭାଟି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

ମୃତ ଘନଙ୍କର ତିନି ଝିଅ ରେଖା, ସୁରେଖା ଓ ପଲ୍ଲବୀ ଅଛନ୍ତି। ସାନ ଝିଅର ଜନ୍ମର କିଛି ବର୍ଷ ପରେ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ଘନ ଏକାକୀ ତିନି ଝିଅଙ୍କୁ ଲାଳନପାଳନ କରୁଥିଲେ। ଅଧିକ ରୋଜଗାର ଆଶାରେ ସେ ବାହାର ରାଜ୍ୟକୁ ଦାଦନ ଯାଇ ଝିଅମାନଙ୍କ ପାଇଁ ଟଙ୍କା ପଠାଉଥିଲେ। ଏବେ ବାପାଙ୍କ ଅକାଳ ବିୟୋଗ ପରେ ଝିଅମାନେ ବେସାହାରା ହୋଇପଡ଼ିଛନ୍ତି।

ଆଜି ତିନି ଝିଅ ଥାନାକୁ ଯାଇ ନ୍ୟାୟ ଭିକ୍ଷା କରିଛନ୍ତି। ଦାଦନ ସର୍ଦ୍ଦାର ଓ ଇଟାଭାଟି ମାଲିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ନଦିଆଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୋଶଲ ନେତା ଜନସନ ନାଗ, ଗିରି ଭୋଇ, ଜିତୁ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top