NABASETULIVE

୫ କେନ୍ଦ୍ରେ ନିଟ୍ ୟୁଜି ପୁନଃ ପରୀକ୍ଷା, ୨୪୦ରୁ ଅଧିକ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା

ନବସେତୁ ନ୍ୟୁଜ, ବଲାଙ୍ଗିର

ବଲାଙ୍ଗିର, ୨୧ ଜୁନ୍ – ବଲାଙ୍ଗିରେ ରବିବାର ନିଟ୍ ୟୁଜି ପୁନଃ ପରୀକ୍ଷା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରେ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୧୫ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କେନ୍ଦ୍ର ୧ ଓ ୨, ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ-୨, ସରକାରୀ ପଲିଟେକନିକ କଲେଜ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ପରୀକ୍ଷା ଆୟୋଜନ କରାଯାଇଥିଲା। ଜିଲ୍ଲାର ୨୪୦ରୁ ଅଧିକ ପରୀକ୍ଷାର୍ଥୀ ପୁନଃ ନିଟ୍ ୟୁଜି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।

ପରୀକ୍ଷା ପୂର୍ବରୁ ସକାଳେ ବଲାଙ୍ଗିର କାନାରା ବ୍ୟାଙ୍କ ଶାଖାରେ ରଖାଯାଇଥିବା ପ୍ରଶ୍ନପତ୍ର କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୃତ ପଣ୍ଡା, ବଲାଙ୍ଗିର ଏସଡିପିଓ ସରୋଜ ଉପାଧ୍ୟାୟଙ୍କ ସହ ବରିଷ୍ଠ ସିଆରପିଏଫ ଅଧିକାରୀମାନେ ପ୍ରଶ୍ନପତ୍ର ପହଞ୍ଚାଇଥିଲେ।

ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ପିଇବା ପାଣି ଓ ଅସ୍ଥାୟୀ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଥିଲା।

Leave a Comment

Your email address will not be published. Required fields are marked *

Scroll to Top