NABASETULIVE

ଭେନେଜୁଏଲାରେ ପ୍ରଳୟଙ୍କରୀ ଭୂକମ୍ପ: ୧୭୦ ମୃତ, ୧ ହଜାର ଆହତ, ୧୧ ହଜାର ନିଖୋଜମୃତ୍ୟୁସଂଖ୍ୟା ୧ ଲକ୍ଷ ଛୁଇଁପାରେ ବୋଲି ଆଶଙ୍କା, କାରିବିଆନ୍‌ରେ ସୁନାମି ସତର୍କତା

ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଆଜି ପ୍ରକୃତିର ଭୟାନକ ତାଣ୍ଡବ ଦେଖିବାକୁ ମିଳିଛି। ଭାରତୀୟ ସମୟ ଶୁକ୍ରବାର ଭୋର ୩:୩୦ରେ ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସମଗ୍ର ଦେଶକୁ ଥରାଇ ଦେଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୭.୨ ଏବଂ ୭.୫ ରେକର୍ଡ କରାଯାଇଛି।

ଧ୍ୱଂସର ଚିତ୍ର:
ଏହି ପ୍ରଳୟଙ୍କରୀ ଭୂକମ୍ପ ଯୋଗୁଁ ରାଜଧାନୀ କାରାକାସ୍ ସମେତ ଅନେକ ସହର ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଶହ ଶହ ବିଶାଳ କୋଠା ଭୁଶୁଡ଼ି ପଡ଼ିଛି। ରାସ୍ତାଘାଟ, ହାଇୱେ ଏବଂ ଅଟ୍ଟାଳିକାଗୁଡ଼ିକରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ସହର ସବୁଠାରୁ ସମୃଦ୍ଧ ଅଞ୍ଚଳ ‘ଆଲଟାମିରା’ରେ ୫୦ରୁ ଅଧିକ ଆବାସିକ ଭବନ ମାଟିରେ ମିଶିଯାଇଛି। ଉପକୂଳବର୍ତ୍ତୀ ରାଜ୍ୟ ‘ଲା ଗୁଆଇରା’ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ଥିବା ‘ସାଇମନ ବୋଲିଭାର ଅନ୍ତର୍ଜାତୀୟ ବିମାନବନ୍ଦର’କୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଦିଆଯାଇଛି। ସମୁଦ୍ର କୂଳରେ ଥିବା ଅନେକ କୋଠା ଭୁଶୁଡ଼ି ପଡ଼ିଛି।

ମୃତାହତ ଓ କ୍ଷୟକ୍ଷତି:
ବର୍ତ୍ତମାନ ସୁଦ୍ଧା ୧୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୧୧ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଧ୍ୱଂସର ବ୍ୟାପକତାକୁ ଦେଖି ଆମେରିକାର ଭୂତାତ୍ୱିକ ଗବେଷଣା ସଂସ୍ଥା ଆଶଙ୍କା ପ୍ରକାଶ କରିଛି ଯେ ମୃତ୍ୟୁସଂଖ୍ୟା ୧୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ।

ସୁନାମି ସତର୍କତା ଓ ପରବର୍ତୀ କମ୍ପନ:
ଭୂକମ୍ପ ପରେ କାରିବିଆନ୍ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ଭୂକମ୍ପ ପରେ ପ୍ରାୟ ୨୦ ଥର ପରବର୍ତ୍ତୀ କମ୍ପନ ଅନୁଭୂତ ହୋଇଛି, ଯାହାର ତୀବ୍ରତା ୪.୯ରୁ ୬.୪ ମଧ୍ୟରେ ରହିଥିଲା।

ଉଦ୍ଧାର କାର୍ଯ୍ୟ ଜାରି:
ଧ୍ୱଂସସ୍ତୂପ ଭିତରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅହରହ ପ୍ରୟାସ ଜାରି ରହିଛି। ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ଉଦ୍ଧାରକାରୀ ଦଳ, ସ୍ଵେଚ୍ଛାସେବୀ ଓ ଜନସାଧାରଣ ଲୋକଙ୍କୁ ଉଦ୍ଧାର କରିବାରେ ପ୍ରଶାସନକୁ ସାହାଯ୍ୟ କରୁଛନ୍ତି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା ଏକ ବିଶାଳ, ଦ୍ରୁତ ଏବଂ ପ୍ରଭାବଶାଳୀ ଉଦ୍ଧାର ଅଭିଯାନ ଆରମ୍ଭ କରିଛି।

ଜରୁରୀକାଳୀନ ପରିସ୍ଥିତି ଘୋଷଣା:
ପରିସ୍ଥିତିର ଗମ୍ଭୀରତାକୁ ଦେଖି ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗଜ୍ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ସେ ସମସ୍ତଙ୍କୁ ଧୈର୍ଯ୍ୟ ଓ ଏକତା ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି।

ସହଯୋଗର ହାତ ବଢ଼ାଇଲା ଭାରତ
ନୂଆଦିଲ୍ଲୀ: ଭେନେଜୁଏଲାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପ ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଏବଂ ଜୀବନହାନି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ସଙ୍କଟ ସମୟରେ ଭାରତ ଭେନେଜୁଏଲା ସହିତ ଦୃଢ଼ ଭାବେ ଠିଆ ହୋଇଛି ଏବଂ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛି ବୋଲି ସେ ଘୋଷଣା କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭେନେଜୁଏଲାରେ ଭୟଙ୍କର ଭୂକମ୍ପଜନିତ ବିପର୍ଯ୍ୟୟ ପାଇଁ ମୁଁ ଅତ୍ୟନ୍ତ ମର୍ମାହତ। ଭାରତବାସୀଙ୍କ ପକ୍ଷରୁ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣ, ବିଶେଷ କରି ନିଜ ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆନ୍ତରିକ ସମବେଦନା ଜଣାଉଛି।” ଏହାସହ ସେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ସହଯୋଗ ପ୍ରତିଶ୍ରୁତି ଦେଇଛନ୍ତି।

ଗୋଟିଏ ଦିନରେ ୩ ମହାଦେଶରେ ୪ ଭୂକମ୍ପ
ସୂଚନାଯୋଗ୍ୟ, ଆଜି ମାତ୍ର କିଛି ଘଣ୍ଟା ବ୍ୟବଧାନରେ ୩ଟି ମହାଦେଶରେ ୪ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହାକୁ ଭୂବିଜ୍ଞାନୀମାନେ ଏକ ପ୍ରାକୃତିକ ସଂଯୋଗ ବୋଲି କହିଛନ୍ତି। ଆଜି ଜାପାନର ଉତ୍ତର ଉପକୂଳରେ ୭.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି ଏବଂ ସୌଭାଗ୍ୟବଶତଃ ଏଠାରେ କୌଣସି ଧନଜୀବନ ହାନିର ସୂଚନା ମିଳିନାହିଁ। ଉତ୍ତର ଆମେରିକାର କାଲିଫର୍ଣିଆରେ ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ଏବଂ କୌଣସି କ୍ଷୟକ୍ଷତି ରିପୋର୍ଟ ନାହିଁ।

ରିପୋର୍ଟ: ନବସେତୁ ସମ୍ବାଦଦାତା

Leave a Comment

Your email address will not be published. Required fields are marked *

Scroll to Top