ସ୍କୁଲ ବହି ତ୍ରୁଟି ମାମଲା: କମିଟି ରିପୋର୍ଟ ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ
ପୂର୍ବତନ SCERT ନିର୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଅଧିକାରୀ ନିଲମ୍ବିତ, ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଅଭିଯୋଗ ମାମଲାରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି। କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
କାର୍ଯ୍ୟାନୁଷ୍ଠାନ:
ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ (Teachers Training & SCERT)ର ତତ୍କାଳୀନ ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ ଓ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି।
ଏହା ସହିତ ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନେ ହେଲେ: ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା।
ପିଲାଙ୍କ ସ୍ୱାର୍ଥରେ ୧୪ଟି ସୁପାରିଶ ଲାଗୁ ହେବ:
ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା ୧୪ଟି ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ସୁପାରିଶଗୁଡ଼ିକ ହେଉଛି:
୧. SCERT ପକ୍ଷରୁ ମାଷ୍ଟର ତ୍ରୁଟି ବା Errata ରେଜିଷ୍ଟର ପ୍ରସ୍ତୁତ କରାଯିବ।
୨. ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯିବ।
୩. SCERTରେ Quality Assurance Cell ଖୋଲାଯିବ।
ଭବିଷ୍ୟତ ପାଇଁ କଠୋର ନିୟମ:
ଭବିଷ୍ୟତରେ କୌଣସି ପାଠ୍ୟପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଂ ପ୍ରେସକୁ ଯିବ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପିଲାଙ୍କ ଶିକ୍ଷା ସହିତ କୌଣସି ସାଲିସ କରାଯିବ ନାହିଁ ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ରିପୋର୍ଟ: ନବସେତୁ ସମ୍ବାଦଦାତା