ଗତ ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଦଳକୁ ନୂଆ ଦିଗ ଦେବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି କ୍ରମରେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତିକେୟନଙ୍କ ବିଜେଡିରେ ଆନୁଷ୍ଠାନିକ ଯୋଗଦାନ ରାଜନୈତିକ ମହଲରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
୨୦୨୫ ମାର୍ଚ୍ଚରେ ଚାକିରୁ ସ୍ୱେଚ୍ଛାକୃତ ଅବସର ନେବା ପରଠାରୁ ସୁଜାତାଙ୍କ ରାଜନୀତିରେ ପ୍ରବେଶ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଆଜି ୨୫ ବର୍ଷର ପ୍ରଶାସନିକ ଅଭିଜ୍ଞତାକୁ ସାଥିରେ ନେଇ ସେ ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଜଣେ ସାଧାରଣ କର୍ମୀ ଭାବେ ଯୋଗ ଦେଇଥିଲେ ମଧ୍ୟ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖୁଛନ୍ତି।
କାହିଁକି ଗୁରୁତ୍ୱପୂର୍ଣ୍ଣ ସୁଜାତାଙ୍କ ଏଣ୍ଟ୍ରି?
ଦଳୀୟ ସୂତ୍ର ଅନୁସାରେ, ବିଜେଡିର ଘଡ଼ିସନ୍ଧି ମୁହୂର୍ତ୍ତରେ ସୁଜାତାଙ୍କ ଭଳି ଜଣେ ଦକ୍ଷ ପ୍ରଶାସିକା ଓ ସର୍ବଗୁଣ ସମ୍ପନ୍ନା ନେତୃତ୍ୱର ଆବଶ୍ୟକତା ଥିଲା। ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ଏବଂ ଭି.କେ ପାଣ୍ଡିଆନଙ୍କ ପତ୍ନୀ ଭାବେ ତାଙ୍କର ପରିଚୟ ଦଳକୁ ଏକତ୍ରିତ କରିବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ଦଳର ‘ମିଶନ’କୁ ଆଗକୁ ନେବାରେ ସୁଜାତାଙ୍କ ‘ଶକ୍ତି’ ଉପରେ ମୁଖିଆ ନବୀନ ପଟ୍ଟନାୟକ ଭରସା ରଖିଛନ୍ତି।
ସୁଜାତାଙ୍କ ପରିଚୟ ଓ ଉପଲବ୍ଧି:
୨୦୦୦ ବ୍ୟାଚ୍ ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ସୁଜାତା ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବାଲୁରିଆ ଗାଁର ମୂଳ ଓଡ଼ିଆ ଝିଅ। ସେ ପ୍ରଖ୍ୟାତ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ସୁକନ୍ୟା। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଏବଂ ଜେଏନୟୁରୁ ଇଣ୍ଟରନ୍ୟାସନାଲ୍ ପଲିଟିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।
ତାଙ୍କର ପ୍ରଶାସନିକ କାର୍ଯ୍ୟକାଳ ଅନେକ ଜନହିତକର ଯୋଜନା ସହ ଜଡ଼ିତ:
୧. ସୁନ୍ଦରଗଡ଼ରୁ ଆରମ୍ଭ: ମାଓ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ୨୦୫ରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ସାଇକେଲ ବଣ୍ଟନ’ କାର୍ଯ୍ୟକ୍ରମ ତାଙ୍କର ବ୍ରେନ୍ ଚାଇଲ୍ଡ ଥିଲା। ‘ମୋବିଲିଟି ଇଜ୍ ଏମପାୱାରମେଣ୍ଟ’ ସ୍ଲୋଗାନ ସହ ଏହା ଆରମ୍ଭ ହୋଇଥିଲା।
୨. ମଧ୍ୟାହ୍ନଭୋଜନରେ ଅଣ୍ଡା: ୨୦୬ରେ ସୁନ୍ଦରଗଡ଼ରେ ମଧ୍ୟାହ୍ନଭୋଜନ ଯୋଜନାରେ ଅଣ୍ଡା ସାମିଲ କରିବାର ଶ୍ରେୟ ତାଙ୍କୁ ଯାଏ। ପରେ ଏହା ସମଗ୍ର ରାଜ୍ୟରେ ଲାଗୁ ହୋଇଥିଲା।
୩. ଫୁଟବଲ କଲେକ୍ଟର: ମାଓପ୍ରବଣ ଅଞ୍ଚଳରେ ଯୁବପୀଢ଼ିଙ୍କୁ ଫୁଟବଲ ଓ ହକି ପ୍ରତି ଆକୃଷ୍ଟ କରି ‘ଫୁଟବଲ କଲେକ୍ଟର’ ଭାବେ ସେ ଜଣାଶୁଣା ଥିଲେ।
୪. ମମତା ଯୋଜନା: କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ସେ ଗର୍ଭବତୀ ମହିଳାଙ୍କ ପାଇଁ ‘ମମତା’ ଯୋଜନା ଆରମ୍ଭ କରିଥିଲେ।
୫. ମିଶନ ଶକ୍ତି: ୭୦ ଲକ୍ଷ ମହିଳାଙ୍କୁ ନେଇ ଗଠିତ ‘ମିଶନ ଶକ୍ତି’ର ସଫଳତା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଛି।
ଶଙ୍ଖ ଶିବିରରେ ଉତ୍ସାହ:
ସୁଜାତାଙ୍କ ଯୋଗଦାନ ପରେ ବିଜେଡି ଶିବିରରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ କରି ଯୁବ ଓ ଛାତ୍ର ସଂଗଠନର କର୍ମୀମାନେ ପ୍ରବଳ ଉତ୍ସାହିତ। ସେମାନଙ୍କ କହିବା କଥା, “ସୁଜାତା ମା’ଙ୍କ ନେତୃତ୍ୱରେ ଆଗକୁ ଜୋରଦାର ଲଢ଼େଇ ହେବ। ଏହା ବିଜେଡିର ପୁନର୍ଜନ୍ମ।”
କେବଳ ଜଣେ ଦକ୍ଷ ପ୍ରଶାସିକା ନୁହଁନ୍ତି, ତାଙ୍କର ଶାନ୍ତ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ମଧ୍ୟ ଦଳକୁ ନୂଆ ଶକ୍ତି ଦେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିକୁ ଆଗକୁ ନେବାରେ ତାଙ୍କର ଭୂମିକା ଉପରେ ଏବେ ସମସ୍ତଙ୍କ ନଜର।
ରିପୋର୍ଟ: ନବସେତୁ ସମ୍ବାଦଦାତା