ନବସେତୁ ସମ୍ବାଦ | ଭୁବନେଶ୍ୱରତା ୦୧/୦୭/୨୦୨୬, ମଙ୍ଗଳବାର
ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟ ପାଠ୍ୟପୁସ୍ତକ (ଶ୍ରେଣୀ ୧ ରୁ ୮) ରେ ପ୍ରାୟ ୨,୧୪୮ ଗୁରୁତର ଭୁଲ ଓ ବିକୃତି ଥିବା ଅଭିଯୋଗ କରି ଭାରତ ମୁକ୍ତି ମୋର୍ଚା ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚା, ଓଡ଼ିଶା ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଭୁଲଗୁଡ଼ିକ କେବଳ ମୁଦ୍ରଣ ଜନିତ ନୁହେଁ, ବରଂ ଇତିହାସ, ଭୂଗୋଳ, ବିଜ୍ଞାନ ଏବଂ ସାଂସ୍କୃତିକ ତଥ୍ୟକୁ ବିକୃତ କରୁଛି ବୋଲି ସଂଗଠନ ଅଭିଯୋଗ କରିଛି।
ପାଠ୍ୟପୁସ୍ତକର କିଛି ଉଲ୍ଲେଖନୀୟ ଭୁଲ:
- ଅଷ୍ଟମ ଶ୍ରେଣୀ ଗଣିତ ବହି ପୃ-୩୫: ଚାଇନାର ମହାପାଚେରୀକୁ ଭାରତର ବୋଲି ଉଲ୍ଲେଖ କରାଯାଇଛି।
- ସପ୍ତମ ଶ୍ରେଣୀ ସାହିତ୍ୟ ବହି ପୃ-୩୮: ‘ଓଡ଼ିଶୀ ନୃତ୍ୟ’ ବର୍ଣ୍ଣନାରେ ଦକ୍ଷିଣ ଭାରତର ନୃତ୍ୟର ଚିତ୍ର ଦିଆଯାଇଛି।
- ବୈଜ୍ଞାନିକ ସାର୍ ଆଇଜାକ୍ ନ୍ୟୁଟନଙ୍କୁ ‘ମନେ ପାଇଲଟ୍’ ଭାବେ ଉଲ୍ଲେଖ କରାଯାଇଛି।
- ଓଡ଼ିଶା ବିଧାନସଭା ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି।
- ଚତୁର୍ଥ ଶ୍ରେଣୀ ଇଂରାଜୀ ବହିରେ “ଭାସ୍କୋ ଦା ଗାମା କାର୍ଯ୍ୟ ଡା” ଭଳି କବିତାର ଉଲ୍ଲେଖ।
- କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଭୁଲ ଭାବେ ଝାଡ଼ଖଣ୍ଡରେ ଦର୍ଶାଯାଇଛି।
- ସପ୍ତମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି ପୃ-୧୮୯: “ଭୂମିପୂଜନ” ବିଷୟରେ ସାମ୍ପ୍ରଦାୟିକ ଓ ଅବୈଜ୍ଞାନିକ ବ୍ୟାଖ୍ୟା ଦିଆଯାଇଛି।
ସଂଗଠନର ୧୦ ଦଫା ଦାବି:
- ନୂଆ ଶିକ୍ଷା ନୀତି-୨୦ ବିରୋଧୀ ସମସ୍ତ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରି ପୁରୁଣା ପାଠ୍ୟପୁସ୍ତକ ଦ୍ୱାରା ପାଠ ପଢ଼ାଯାଉ।
- ସମ୍ପାଦକ, ଅଧିକାରୀ ଏବଂ ପ୍ରକାଶନ ଏଜେନ୍ସି, ବିଶେଷକରି OSEPA ଅଧିକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
- ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନୈତିକ ଦାୟିତ୍ୱ ଗ୍ରହଣ କରି ଇସ୍ତଫା ଦିଅନ୍ତୁ।
- SC, ST, OBC ଏବଂ ଅଳ୍ପସଂଖ୍ୟକ ସମୁଦାୟ ତଥା ମୂଳନିବାସୀ, ବହୁଜନ ସମାଜର ପ୍ରତିନିଧିଙ୍କୁ ନେଇ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରି ପାଠ୍ୟପୁସ୍ତକ ସମୀକ୍ଷା ଓ ସଂଶୋଧନ କରାଯାଉ।
- ନୂଆ ଶିକ୍ଷା ନୀତି-୨୦୨୦ ପ୍ରତ୍ୟାହାର କରି ଏକ ସର୍ବସମ୍ମତ, ବୈଜ୍ଞାନିକ ଶିକ୍ଷା ନୀତି ପ୍ରଣୟନ କରାଯାଉ।
- KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା: ମୁଖ୍ୟମନ୍ତ୍ରୀଙ୍କ ୧୨ ଜୁନ୍ ୨୦୨୬ ଘୋଷଣା ଅନୁଯାୟୀ ତୁରନ୍ତ କାର୍ଯ୍ୟକାରୀ କରାଯାଉ ଓ ନାମଲେଖା ସମୟରେ ଆଦାୟ ହୋଇଥିବା ଫିସ୍ ଫେରସ୍ତ କରାଯାଉ।
- ଖାଲିପଡ଼ିଥିବା ଶିକ୍ଷକ ପଦବୀ ପୂରଣ: OTET, CT, http://B.Ed ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀଙ୍କ ଦ୍ୱାରା ପ୍ରାଥମିକରେ ୪୫,୦୦୦+, ମାଧ୍ୟମିକରେ ୧୫,୦୦୦+ ଓ ଆଦିବାସୀ ବିଦ୍ୟାଳୟରେ ୨,୦୦୦+ ପଦବୀ ତୁରନ୍ତ ପୂରଣ କରାଯାଉ।
- ଇଞ୍ଜିନିୟରିଂ ଓ ମେଡିକାଲରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୨୭% ଆରକ୍ଷଣ ଦିଆଯାଉ।
ଆନ୍ଦୋଳନ ଚେତାବନୀ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ଭାରତ ମୁକ୍ତି ମୋର୍ଚା ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚା ପକ୍ଷରୁ ରାଜ୍ୟବ୍ୟାପୀ ଗଣତାନ୍ତ୍ରିକ ପ୍ରତିବାଦ ଏବଂ ଆଇନଗତ ଉପାୟ ଅବଲମ୍ବନ କରାଯିବ ବୋଲି ସଭାପତି ସରୋଜ କୁମାର ମେଶ୍ୱା ଚେତାବନୀ ଦେଇଛନ୍ତି।
ଏହି ସ୍ମାରକପତ୍ରର ପ୍ରତିଲିପି ରାଜ୍ୟପାଳ, ଶିକ୍ଷା ମନ୍ତ୍ରୀ, OSEPA ନିର୍ଦେଶକ ଓ NCERT କୁ ମଧ୍ୟ ପ୍ରଦାନ କରାଯାଇଛି।
ରିପୋର୍ଟ: ନବସେତୁ ବ୍ୟୁରୋ, ଭୁବନେଶ୍ୱର