ନବସେତୁ ନ୍ୟୁଜ୍ | ବରଗଡ଼ତା: 20.07.2026 | ସମୟ: 11:45 AM
ବରଗଡ଼: କର୍ତବ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ବରଗଡ଼ରେ ଚାପା ଉତେଜନା ସୃଷ୍ଟି କରିଛି। ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଡା. ସୁଦୀପ୍ତ କୁମାର ରାଉତଙ୍କୁ ଗତକାଲି ରାତି ପ୍ରାୟ 2ଟା ସମୟରେ ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଏକ ଛୁଆକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ଛୁଆଟିର ଚିକିତ୍ସା କରିସାରିବା ପରେ ବ୍ୟକ୍ତି ଜଣକ ବ୍ଲଡ଼ ପ୍ରେସର ଚେକ୍ କରିବା ପାଇଁ ଅନୁରୋଧ କରିଥିଲେ। ଡାକ୍ତର 10 ମିନିଟ୍ ଅପେକ୍ଷା କରିବାକୁ କହିବାରୁ ଉତ୍ୟକ୍ତ ହୋଇ ସେ ନିଜେ ବସିଥିବା ଷ୍ଟୁଲକୁ ଧରି ଡାକ୍ତରଙ୍କ ମୁଣ୍ଡରେ ଆଘାତ କରିଥିଲେ। ଫଳରେ ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଘଟଣା ପରେ ଡା. ସୁଦୀପ୍ତ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଟାଉନ୍ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।
ଡାକ୍ତରଙ୍କ ସଂଘର ଚେତାବନୀ
ଏହି ଆକ୍ରମଣ ଘଟଣାକୁ ବରଗଡ଼ର ଡାକ୍ତର ମହଲ ତୀବ୍ର ନିନ୍ଦା କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ସେମାନେ ଦାବି କରିଛନ୍ତି।
ବର୍ତମାନ ପୋଲିସ ତଦନ୍ତ ଜାରି ରହିଛି।