ନବସେତୁ ନ୍ୟୁଜ୍ – ବଲାଙ୍ଗିର

ବଲାଙ୍ଗିର, (ନବସେତୁ ନ୍ୟୁଜ୍): ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନ୍ୟ ପାରମ୍ପରିକ ଜଙ୍ଗଲବାସୀ (ST & OTFD) ମାନଙ୍କ ଅଧିକାର ସ୍ୱୀକୃତି ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି (DLC) ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଦାବି ପତ୍ର ଗୁଡିକର ସ୍ଥିତି ସମୀକ୍ଷା କରାଯାଇଥିଲା। ଉପଖଣ୍ଡ ସ୍ତରୀୟ କମିଟି (SDLC) ଦ୍ୱାରା ସୁପାରିସ ହୋଇ ଆସିଥିବା ଦାବି ଗୁଡିକୁ DLC ସ୍ତରରେ ଅନୁମୋଦନ ପ୍ରଦାନ କରାଯାଇଛି।
ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରକୃତ ଜଙ୍ଗଲବାସୀ ଯେମିତି ସେମାନଙ୍କ ହକ ରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସମସ୍ତ ବ୍ଳକ ସ୍ତରରେ ବିଶେଷ ସଚେତନତା କାର୍ଯ୍ୟକ୍ରମ କରିବା ଏବଂ ଲମ୍ବିତ ଥିବା ଦାବି ପତ୍ର ଗୁଡିକର ଶୀଘ୍ର ଯାଞ୍ଚ କରି ନିଷ୍ପତ୍ତି ନେବା ପାଇଁ। ବିଶେଷ କରି ଅନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କ କ୍ଷେତ୍ରରେ ୭୫ ବର୍ଷର ବାସ ପ୍ରମାଣ ଏବଂ ଗ୍ରାମସଭାର ଅନୁମୋଦନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ବନ ଖଣ୍ଡ ଅଧିକାରୀ (DFO) ବଲାଙ୍ଗିର, ପି.ଏ. ଆଇ.ଟି.ଡି.ଏ, ଜିଲ୍ଲା କଲ୍ୟାଣ ଅଧିକାରୀ, DLC ର ସମସ୍ତ ସରକାରୀ ଓ ବେସରକାରୀ ସଦସ୍ୟ ଏବଂ ସମସ୍ତ ତହସିଲଦାର ଉପସ୍ଥିତ ଥିଲେ।
ରିପୋର୍ଟ: ନବସେତୁ ନ୍ୟୁଜ୍ , ବଲାଙ୍ଗିର



Thank you NABASETU news