
ଭୁବନେଶ୍ୱର, ୧୫/୧୦: ମଦମୁକ୍ତ ଓଡ଼ିଶା ଗଠନ ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଜାରି ରହିଥିବା ତ୍ରିରଙ୍ଗା ଯାତ୍ରା ଆଜି ୧୨୬ ଦିନରେ ପହଞ୍ଚିଛି। ରାଜ୍ୟ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି।
୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ନିଜ ସଙ୍କଳ୍ପ ପତ୍ରରେ ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ରାଜ୍ୟ ସରକାର ଏହି ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ମୋନା। ଓଡ଼ିଶାକୁ ମଦମୁକ୍ତ କରିବା ପରିବର୍ତ୍ତେ ରାଜ୍ୟରେ ମଦର ପ୍ରସାରକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯାନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।
ଏହି ପରିପ୍ରେକ୍ଷୀରେ ମୋନା ପକ୍ଷରୁ ପ୍ରତ୍ୟେକ ଦିନ ଅପରାହ୍ନ ୫ଟାରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଉଛି। ଆଜିର ଯାତ୍ରା ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନର ପ୍ରଣେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା।
ଦୀର୍ଘ ୧୨୫ ଦିନ ଧରି ଆନ୍ଦୋଳନ ଚାଲିଥିବା ସତ୍ତ୍ୱେ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ ବୋଲି ଯାତ୍ରାରେ ଯୋଗଦେଇଥିବା ବକ୍ତାମାନେ ମତପ୍ରକାଶ କରିଥିଲେ। ଏଥିସହ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ରାଜ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା କରିବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା।
ଆଜିର ତ୍ରିରଙ୍ଗା ଯାତ୍ରାକୁ ରତିକାନ୍ତ ସାହୁ, ରମାକାନ୍ତ ମଣ୍ଡଳ, କବିତା ସ୍ୱାଇଁ ଓ ବନ୍ଦେ ମାତରମ୍ ପ୍ରମୁଖ ସମର୍ଥନ ଜଣାଇ ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଳୟ ତ୍ରିପାଠୀ, ଅରୁଣ କୁମାର ସ୍ୱାଇଁ ଓ ସ୍ନେହାଂଶୁ ଜେନା ତ୍ରିରଙ୍ଗା ଯାତ୍ରୀମାନଙ୍କୁ ସହଯୋଗ କରିଥିଲେ।
ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ରତର କରାଯିବା ସହ ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଘୋଷଣା କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ ବୋଲି ଅଭିଯାନ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି।
ଶୁଭେନ୍ଦୁ ରାଉତରାୟ
କାର୍ଯ୍ୟାଳୟ ସମ୍ପାଦକ
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)
ଯୋଗାଯୋଗ: ୯୪୩୭୧୦୭୪୨୭


