NABASETULIVE

ଲଗାଣ ବର୍ଷାରେ ବେହାଲ ହେଲା ଚାଷ, ପୁଇଁନ୍ତଲାର ଛତାମଖନା ଚାଷୀ ଚିନ୍ତାରେ |

ଖବର ବଲାଙ୍ଗିର : ବଲାଙ୍ଗିର ପ୍ରତିନିଧି , ତାରିଖ : ୨୯ ଜୁଲାଇ ୨୦୨୬

ପୁଇଁନ୍ତଲା: ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମ ପଞ୍ଚାୟତର ଚାଷୀମାନେ ଏବେ ଚରମ ବିପଦରେ। ଗତ କିଛି ଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଏଠାକାର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଫଳରେ ଖରିଫ ଧାନ ଚାଷ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି।

ତିନି ଥର ଚାଷ ନଷ୍ଟ, ଚାଷୀ ନିରାଶ
ସ୍ଥାନୀୟ ଚାଷୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ସେମାନେ ପ୍ରଥମେ ଖରଡି ଧାନ ବୁଣିଥିଲେ। ବର୍ଷା କମ୍ ଥିବାରୁ ତାହା ଫେଲ୍ ହୋଇଗଲା। ପରେ ବତୁରୀ ବୁଣା କଲେ, ସେତେବେଳେ ଅତ୍ୟଧିକ ବର୍ଷା ହୋଇ ସେଇଟା ବି ନଷ୍ଟ ହୋଇଗଲା। ଶେଷରେ ବାଧ୍ୟ ହୋଇ ତଲି ପକା କଲେ, କିନ୍ତୁ ଏବେ ଲଗାଣ ବର୍ଷା ଯୋଗୁଁ ଜମିରେ ପାଣି ଜମି ରହି ସେଇ ବିହନ ଧାନ ମଧ୍ୟ ପଚି ନଷ୍ଟ ହୋଇଯାଇଛି।

ଜଣେ ଚାଷୀ ସୁରେନ୍ଦ୍ର ମେଶ୍ବା ଗ୍ରମ ଲାଦେରବାହାଲ କହିଲେ, “ଥରେ ନୁହେଁ ଦୁଇ ଥର ନୁହେଁ, ତିନି ତିନି ଥର ଆମର ବିହନ ଧାନ ଜମିରେ ନଷ୍ଟ ହୋଇଗଲା। ଏବେ ଆଉ ଟଙ୍କା ନାହିଁ ଯେ ଆଉ ଥରେ ବୁଣିବୁ। ପୂରା ବର୍ଷର ଖାଇବା ଉପରେ ବିପଦ ଆସିଗଲାଣି।”

କ୍ଷତିର ପରିମାଣ ଅଧିକ
ଛତାମଖନା ପଞ୍ଚାୟତର ଅଧିକାଂଶ ଜମି ତଳିଆ ହୋଇଥିବାରୁ ସାମାନ୍ୟ ବର୍ଷାରେ ହିଁ ପାଣି ଜମିଯାଉଛି। ଏଥର ଲଗାଣ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମି ପାଣିରେ ବୁଡି ରହିଛି। କେତେକ ସ୍ଥାନରେ ଧାନ ଚାରା ପୂରା ହଳଦିଆ ପଡି ପଚିଯାଇଛି।

ଛତାମଖନା ଗ୍ରାମ ର ଚାଷୀ ଗୋପବନ୍ଧୁ କରନ କହିଛନ୍ତି ଯେ ସେମାନେ ମହାଜନଙ୍କ ଠାରୁ ଋଣ ଆଣି ବିହନ, ସାର, ଔଷଧ କିଣିଥିଲେ। ଏବେ ଫସଲ ନଷ୍ଟ ହୋଇଯିବାରୁ ସେହି ଋଣ କେମିତି ଶୁଝିବେ ସେ ନେଇ ଚିନ୍ତାରେ ପଡିଛନ୍ତି।

ପ୍ରଶାସନର ହସ୍ତକ୍ଷେପ ଦାବି
ଏନେଇ ଛତାମଖନା ପଞ୍ଚାୟତର ଚାଷୀମାନେ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗକୁ ତୁରନ୍ତ ପନ୍ତି ଯାଞ୍ଚ କରି କ୍ଷତିପୂରଣ ଏବଂ ବୀମା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି। ସେମାନେ ଆହୁରି କହିଛନ୍ତି, ଯଦି ସମୟରେ ସହାୟତା ନ ମିଳେ ତେବେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ।

ଏନେଇ ପୁଇଁନ୍ତଲା କୃଷି ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ପାଣି କମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସୂଚନା ମିଳିଛି।

Leave a Comment

Your email address will not be published. Required fields are marked *

Scroll to Top