ବଣ, ପାହାଡ଼, ନଈରେ ପରିପୂର୍ଣ ପଶ୍ଚିମ ଓଡ଼ିଶା କଳା, ସାହିତ୍ୟ, ସଂସ୍କୃତିର ଭଣ୍ଡାର ଘର। କଳାହାଣ୍ଡିର ଡଙ୍ଗରଲା ପର୍ବତରୁ ଦେବଗଡ଼ର ପ୍ରଧାନପାଟ, ନୂଆପଡ଼ାର କୁଟପାର-ପୁରୁବାଲି ପର୍ବତମାଳାରୁ ସୁନ୍ଦରଗଡ଼ର ଖଣ୍ଡାଧାର, ଗନ୍ଧମାର୍ଦ୍ଦନ-ନରସିଂହନାଥ-ହରିଶଙ୍କର, ରାଣୀପୁର ଝରିଆଲ—ସବୁଠି ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟ ଭିତରେ ବହିଯାଉଥାଏ ଗୋଟେ ସଙ୍ଗୀତ। ଏଠିକାର ମୂଳ ମଣିଷ ମାତ୍ରକେ ଗୋଟେ ଗୋଟେ ଗୀତ, ଗୋଟେ ଗୋଟେ ଗପ, ସଙ୍ଗୀତ।
ଗୀତ ପାଇଁ ସୁରଟିଏ, ତାଳଟିଏ, ଲୟଟିଏ ଓ ବାଜାଟିଏ ଦରକାର। ଆମର ସେହି ମୂଳ ବାଜାଟି ହେଲା ଗଣ୍ଡାବଜା। ଡାଲଖାଇ, ରସରକେଲି, ମାଏଲାଜଡ, ଜାଇଫୁଲ, ସଜନୀ, ଚପକରାଟି, ଜିରାଲବଙ୍ଗ, ବିହାଗୀତ, ଲହରି, ନିଆଲିମଲି, ଭମରା—ଏହି ସବୁ ବାଦ୍ୟ-ଆଶ୍ରିତ ଲୋକଗୀତର ପ୍ରଦର୍ଶନରେ ଏହି ବଜା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ଏକ ସୁକୁମାର ଅତୀତ
ବିଶିଷ୍ଟ କବି ଓ ସଂସ୍କୃତି ଗବେଷକ ଡକ୍ଟର ବାସୁଦେବ ସୁନାନୀ ତାଙ୍କର ପୁସ୍ତକ “ଦଳିତ ସଂସ୍କୃତିର ଇତିହାସ”ର ପଞ୍ଚମ ଅଧ୍ୟାୟ ‘ଆଦିମ ଅସ୍ମିତା: ବାଜା’ରେ ଏହାର ଉତ୍ପତ୍ତି, ପ୍ରକାର ଭେଦ, ବ୍ୟବହାର, ସାଂସ୍କୃତିକ ସମ୍ବନ୍ଧ ଓ ମହାତ୍ମ୍ୟ ବିଷୟରେ ଲେଖିଛନ୍ତି। ତାଙ୍କ ମତରେ, ଯେଉଁ ସମୟରେ ଡୁମାଲ, ଗଉଡ଼, ଗଣ୍ଡା ଓ ମାଲିମାନେ ବାଜା ବଜାଉଥିଲେ, ସମ୍ଭବତଃ ସେ ସମୟରେ ସମାଜରେ ଜାତିପ୍ରଥା ନ ଥିଲା। ଲୋକଥା ଅନୁସାରେ ଗଁଗ, ଗାର୍ଗବ, ଯଦୁ ଓ କଦମ ଚାରିଭାଇ ଏକା ବଂଶଧର ଥିଲେ, ତେଣୁ ମିଳିମିଶି ବଜେଇବା ସ୍ୱାଭାବିକ। ପରେ ଜାତିପ୍ରଥାର ଘୃଣ୍ୟ ପ୍ରଚଳନ ପରେ ଗଁଡ଼ାମାନଙ୍କ ହାତରେ ବାଜାକୁ ସମର୍ପିତ କରାଯାଇଥିଲା।
ବାଜାର ଗଠନକୁ ଦେଖିଲେ ଜଣାପଡେ—ତାସାର ଅଧା ଅଂଶ କୁମ୍ଭାର ତିଆରି କରେ, ମହୁରୀର ଫାଳେ ଘାସି, ନିଶାନ୍ର ଅଧା କମାର, ଢୋଲର ଅଧା ଅଂଶ ବଢ଼ିଆ। ଏହା ପ୍ରମାଣ କରେ ଯେ ଆଗକାଳରେ ଜାତିପ୍ରଥା ନ ଥିଲା, ସବୁ ମିଳିମିଶି କାମ କରୁଥିଲେ। କିନ୍ତୁ ବର୍ଷ ବର୍ଷ ଧରି ଏହି ଆଦି ବାଜାର ସଂସ୍କୃତି ଗଁଡ଼ା ବା ଡମ୍ ସଂପ୍ରଦାୟ ସହିତ ଅତି ଘନିଷ୍ଠ ଭାବେ ଯୋଡ଼ି ହୋଇରହିଲା।
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବାଜା, କିନ୍ତୁ ବଜନିଆ ଅଛୁଆଁ
ମଣିଷର ଜନ୍ମରୁ ମୃତ୍ୟୁ, ବାହାଘରୁ ଦଶହରା ଯାତ୍ରା, ଗ୍ରାମଦେବତୀଠାରୁ ସମଲେଶ୍ୱରୀ, ମାଣିକେଶ୍ୱରୀ, ପାଟଣେଶ୍ୱରୀଙ୍କ ପର୍ଯ୍ୟନ୍ତ ସବୁଠି ଏହି ବାଜା ବାଦନ ହୁଏ। ଯେଉଁ କଳାକାରର ବାଦ୍ୟରେ ଦେବୀ ଧରାକୁ ଆସନ୍ତି, ଦେହେରିକୁ ବଏଲ୍ ଆସେ, ଦେବତା ମଣିଷ ଦେହରେ ସବାର ହୁଏ—ସେହି କଳାକାର ଈଶ୍ୱରଙ୍କ ସନ୍ତାନ ବୋଲାଇବାରୁ ଆଜିଯାଏ ବଞ୍ଚିତ।
କୋଡ଼ିଏ-ପଚିଶ ବର୍ଷ ତଳେ ଗାଁରେ ବାହାଘର ହେଲେ ତିନି-ଚାରି ଦିନ ପର୍ଯ୍ୟନ୍ତ ବଜାଦଳ ବାଜା ବଜଉଥିଲେ। ବଲାଙ୍ଗୀର ଜିଲ୍ଲାର ଟେଭାଡୁଙ୍ଗୁରି, ଭାଟବାହାଲି, ଖୁଂଟପାଲି ଗାଁର ନାଁକରା ବଜାପାର୍ଟିକୁ ଚାରି-ଛଅ ମାସ ଆଗରୁ ବଇନା ଦେବାକୁ ପଡୁଥିଲା। ବରଯାତ୍ରୀଙ୍କ ଶୋଭାଯାତ୍ରାରେ ଏହି ଗାଁର ବଜାଦଳକୁ ଦେଖି ବରପକ୍ଷର ଆର୍ଥିକ ସ୍ୱଚ୍ଛଳତା ଅନୁମାନ କରୁଥିଲେ କନ୍ୟାପକ୍ଷ।
ଆଧୁନିକତାର ମାଡ଼ ଓ ଅସ୍ପୃଶ୍ୟତାର ଘିଅ
ଆଧୁନିକତା, ନବ୍ୟ ସଂସ୍କୃତିର ଧାରା, ବିଶ୍ୱୀକରଣ ଓ ବଜାରବାଦ ଦଳିତ ବର୍ଗକୁ ଆହୁରି ସାତ ଦଳିତ କରିଦେଲା। ପାରମ୍ପରିକ କଳାର ମୂଳ କଳାକାରମାନଙ୍କ ଆର୍ଥିକ ସ୍ଥିତି ଦୋହଲିଗଲା। କିନ୍ତୁ ଅସ୍ପୃଶ୍ୟତା ସେହି ଅଗ୍ନିରେ ଘିଅ ଢାଳିଚାଲିଲା ଏବଂ ଆଜି ମଧ୍ୟ ଢାଳୁଛି। ଆଜି ଡିଜେ, ବ୍ୟାଣ୍ଡ ପାର୍ଟି ଆସିଗଲା, ଗଁଡ଼ାବଜା କୋଣକୁ ଠେଲି ହୋଇଗଲା। ବଜାକୁ ଦେବତା ଦରକାର, ବଜନିଆକୁ ନୁହେଁ—ଏହାହିଁ ଆମ ସମାଜର ନଗ୍ନ ସତ୍ୟ।
କାରିଗରଙ୍କ ଦୁଃଖ: କଳା ଅଛି, ସମ୍ମାନ ନାହିଁ
ଗଁଡ଼ାବଜା ସହିତ ଜଡ଼ିତ ଅଛନ୍ତି ଆଉ ଏକ ଲଘୁ ଗୋଷ୍ଠୀ—ଘାସି ବା ଚମାର ସଂପ୍ରଦାୟର କାରିଗର। ସେମାନଙ୍କ ଯୋଗଦାନ ବଳରେ ଗଁଡ଼ାବଜାର ଅସ୍ତିତ୍ୱ ଆଜି ମଧ୍ୟ ରହିଛି। ବଲାଙ୍ଗୀର ଜିଲ୍ଲା ଖଲିଆ ଟିକ୍ରା ଗାଁର ୬୩ ବର୍ଷୀୟ ମଙ୍ଗୁଲି କୁମ୍ଭାର ଢୋଲ, ନିସାନ, ତାସା, ଟିମିକିଡ଼ି, ଡୁବି ତବଲା, ମୃଦଙ୍ଗ, ମାନ୍ଦଲ, ମର୍ଦଳ, ଢୋଲକ, ଘୁବୁକୁଡୁ ତିଆରି କରନ୍ତି ଓ ନିଜେ ଅତି ସୁନ୍ଦର ଭାବରେ ବାଦନ ମଧ୍ୟ କରନ୍ତି। ତାଙ୍କ ବାପା ପ୍ରସନ୍ନ କୁମ୍ଭାର ମଧ୍ୟ ସବୁ ପ୍ରକାର ବାଦ୍ୟଯନ୍ତ୍ର ନିର୍ମାଣ କରୁଥିଲେ।
ମଙ୍ଗୁଳି କହନ୍ତି, “ମୁଁ ମୋ ହାତ ତିଆରି ଢୋଲ ବଜାଇବାବେଳେ କୋଟି ଜନ୍ମର ସୁଖ, ଶାନ୍ତି, ଆତ୍ମସନ୍ତୋଷ ପାଏ। କଳାକୁ ବଞ୍ଚାଇ ରଖିବା ପାଇଁ ମୁଁ ମଲା ପର୍ଯ୍ୟନ୍ତ ଏ କାମ କରୁଥିବି।”
କିନ୍ତୁ କମ୍ପାନି ନିର୍ମିତ ବାଦ୍ୟଯନ୍ତ୍ରର ଆଦୃତି ତାଙ୍କ କୌଳିକ ବୃତ୍ତିକୁ ଚାପିଦେଉଛି। ତାଙ୍କ ପୁଅମାନେ ରୋଜଗାର ପାଇଁ କୌଳିକ ବୃତ୍ତି ଛାଡ଼ି କୁଲି-ମଜୁରି କରିବାକୁ ବାଧ୍ୟ ହେଉଛନ୍ତି।
ସରକାରୀ ଯୋଜନା କାଗଜରେ, କଳାକାର ଦାଦନରେ
ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ପଚାଶ ହଜାର କଳାକାରଙ୍କୁ ଭତ୍ତା ଦେବାକୁ କହିଥିଲେ, କିନ୍ତୁ ମାତ୍ର ପଇଁତିରିଶ ହଜାର ବାଛିଲେ। ଏଥିରେ ସମସ୍ତ ଗଁଡ଼ାବଜାର କଳାକାର ଓ କାରିଗରଙ୍କୁ ଯୋଡ଼ିପାରିଥାନ୍ତେ। ଅଥଚ ୨୦୦୭ରେ ରାଜ୍ୟରୁ ୫୫ ହଜାର ଲୋକ ଦାଦନ ଯାଇଥିବାବେଳେ ୨୦୧୭ରେ ତାହା ୧ ଲକ୍ଷ ୪୭ ହଜାରେ ପହଞ୍ଚିଛି। ଏହି ସଂଖ୍ୟାର ସିଂହ ଭାଗ ଦଳିତ ଓ ଆଦିବାସୀ।
ଶେଷ କଥା: କଳା ଈଶ୍ୱରଙ୍କର, କିନ୍ତୁ କଳାକାର ଦଳିତ
ଯଦି ଗୀତ, ସଙ୍ଗୀତ, କଳା, ସାହିତ୍ୟ ଆଧ୍ୟାତ୍ମିକ ବରଦାନ, ତାହେଲେ ସେହି ଆଦିମ ଗୀତ-ସଙ୍ଗୀତ-ବାଦ୍ୟ-ନୃତ୍ୟର ମହାନ କଳାକାରମାନଙ୍କୁ କାହିଁକି ସମାନ ସ୍ୱୀକୃତି ଦେବାକୁ ଆମେ ପଛଘୁଂଚା ଦେଉଛୁ?
ଯେଉଁ କଳାକାରର ବାଦ୍ୟରେ ଦେବୀ ଧରାକୁ ଆସନ୍ତି, ଦେହେରିକୁ ବଏଲ୍ ଆସେ, ଦେବତା ମଣିଷ ଦେହରେ ସବାର ହୁଏ—ସେହି କଳାକାର ଈଶ୍ୱରଙ୍କ ସନ୍ତାନ ବୋଲାଇବାରୁ ଆଜିଯାଏ ବଞ୍ଚିତ।
କଳା ଈଶ୍ୱର ଦେଲେ, କିନ୍ତୁ କଳାକାର ଦଳିତ ହୋଇ ରହିଗଲେ।
ସରୋଜ କୁମାର ମେଶ୍ୱା