ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୫.୦୭.୨୦୨୬
ଲଗାଣ ବର୍ଷା ବଲାଙ୍ଗିର ଜିଲ୍ଲାର ଗରିବ ଲୋକଙ୍କ ପାଇଁ କାଳ ସାଜିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବର୍ଷାରେ ଝାଟିମାଟି ଘର ଭାଙ୍ଗି ଜୀବନ ନେଉଛି।
ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ପଥର୍ଲା ପଞ୍ଚାୟତ ଲୁହୁରେନପାଲି ଗାଁରେ।
କିପରି ଘଟିଲା ଦୁର୍ଘଟଣା:
ସୂଚନା ଅନୁସାରେ, ଗତକାଲି ରାତିରେ ଗାଁର ୬୫ ବର୍ଷୀୟ ବୃଦ୍ଧ ଗଣ୍ଡାରାମ କୁମ୍ଭାର ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ନିଜ ଝାଟିମାଟି ଘରେ ଶୋଇଥିଲେ। ମଝି ରାତିରେ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଅଚାନକ ଭାଙ୍ଗି ପଡିଥିଲା। ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ମାଟି ତଳେ ଚାପି ହୋଇ ଯାଇଥିଲେ।
ପରିବାର ଲୋକ ଓ ପଡୋଶୀମାନେ ଉଦ୍ଧାର କରି ଦୁହିଁଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଗଣ୍ଡାରାମ କୁମ୍ଭାରଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ପତ୍ନୀ ଲକ୍ଷ୍ମୀ କୁମ୍ଭାରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ଖବର ପାଇ ପୁଇଁତଲା ତହସିଲଦାର ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।
ଲଗାଣ ବର୍ଷାକୁ ଦେଖି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରଶାସନ ପକ୍ଷରୁ ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ: ନବସେତୁ ନ୍ୟୁଜ୍ ବ୍ୟୁରୋ, ବଲାଙ୍ଗିର