ନବସେତୁ ନ୍ୟୁଜ, ଭୁବନେଶ୍ୱର
ଭୁବନେଶ୍ୱର, ୨୧ ଜୁନ୍ – ଓଡ଼ିଶାକୁ ଲଜ୍ଜିତ କରିଥିବା ରାୟଗଡ଼ା କଲ୍ୟାଣପୁର ଭିଡ଼ ହିଂସା ମାମଲାକୁ ପୁଲିସ ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ କରିଛି। ପୁଲିସ ଡିଜି ୱାଇ.ବି ଖୁରାନିଆ କ୍ରାଇମବ୍ରାଞ୍ଚର ମହିଳା ବିରୋଧୀ ସେଲ୍(ସିଏଡବ୍ଲୁ)କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସିଏଡବ୍ଲୁ ଅତିରିକ୍ତ ଡିଜି ଏସ. ସାଇନି ତଦନ୍ତର ନେତୃତ୍ୱ ନେବେ। ରେଡ୍ ଫ୍ଲାଗ୍ ମାମଲା ରୁଜୁ କରି ତଦନ୍ତ ଆଗକୁ ବଢ଼ାଇବା ସହ ଆବଶ୍ୟକ ପଡ଼ିଲେ ପୀଡ଼ିତାଙ୍କୁ ପଚରାଉଚୁରା ପାଇଁ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଅତି ସମ୍ବେଦନଶୀଳ ଘଟଣାକୁ ପୁଲିସ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଥାଏ।
ଏହି ମାମଲାରେ ଏ ପର୍ଯ୍ୟନ୍ତ ୨୩ ଜଣ ଗିରଫ ହୋଇସାରିଛନ୍ତି। ଆଉ କେତେଜଣଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ଅନେକ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ବ୍ୟାପକ ଖାନତଲାସୀ ଚାଲିଛି। ପୁଲିସ ଧରପଗଡ଼ ଭୟରେ ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ ହୋଇଯାଇଛି।
ପୁଲିସ ସାଇବର ଟିମ୍ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ଡିଆଇଜି ଅଖିଳେଶ୍ୱର ସିଂହଙ୍କ ତତ୍ତ୍ୱାବଧାନରେ ଏ ପର୍ଯ୍ୟନ୍ତ ରାୟଗଡ଼ା ଏସପି ରାଜ ପ୍ରସାଦ ତଦନ୍ତର ନେତୃତ୍ୱ ନେଇଛନ୍ତି। ଘଟଣାକୁ ନେଇ ପୁଲିସ ପକ୍ଷରୁ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ପୀଡ଼ିତାଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଅଭିଯୋଗ ହୋଇନାହିଁ। ଭିଡିଓ ଫୁଟେଜ୍ ଓ ସାକ୍ଷୀଙ୍କ ବୟାନ ଆଧାରେ ତଦନ୍ତ ଚାଲିଛି।
୧୬ ଜୁନ୍ ଦିନ ଘଟିଥିବା ଏହି ଭିଡ଼ ହିଂସାରେ ଦୁଇ ଏନଜିଓ କର୍ମଚାରୀ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣକାରୀଙ୍କ ମୁହଁରୁ ଦିଲ୍ଲୀ ଯୁବତୀଙ୍କ ଜୀବନ ଓ ଇଜ୍ଜତ ବଞ୍ଚାଇଥିବା ଯୁବକ ବଳରାମ ବାଗଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି। ସେ ଭିଡ଼ ଭିତରୁ ବିବସ୍ତ୍ର ଯୁବତୀଙ୍କୁ ଟାଣି ଆଣି ନିଜ ଟି-ସାର୍ଟରେ ଘୋଡ଼େଇ ପ୍ରଥମେ କଲ୍ୟାଣପୁର ଥାନା ଏବଂ ପରେ ଡାକ୍ତରଖାନା ନେଇଥିଲେ।
ଘଟଣା ପରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ‘ଜଘନ୍ୟ, ବର୍ବରୋଚିତ କାଣ୍ଡ’ କହି ସରକାର ତୁରନ୍ତ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ ସର୍ବ ଦଳୀୟ ବୈଠକ ଡାକି ଆଲୋଚନା କରିବାକୁ ଆହ୍ୱାନ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଘଟଣାକୁ ନିନ୍ଦା କରିବା ସହ ଆଇନକୁ କେହି ହାତକୁ ନେବା ଉଚିତ ନୁହେଁ ବୋଲି କହିଛନ୍ତି।